ରାଜ୍ୟରେ ବଢ଼ିଚାଲିଛି ମହିଳା ବିରୋଧୀ ହିଂସା, କେବେ ପ୍ରତିଷ୍ଠା ହେବ ଫାଷ୍ଟଟ୍ରାକ୍‌ କୋର୍ଟ: ଭାଜପା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଅପରାଧୀଙ୍କର ପୋଲିସ ପ୍ରତି ଆଉ ଭୟ ନାହିଁ। ଏସବୁ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶର ୭୨ଟି, ତାମିଲନାଡ଼ୁରେ ୬୯ଟି, ପଶ୍ଚିମବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ୍‌ କୋର୍ଟ ରହିଛି। ମାତ୍ର ଓଡ଼ିଶାରେ ଏହାର ସଂଖ୍ୟା ଶୂନ। ଏବେ ସୁଦ୍ଧା ରାଜ୍ୟ ସରକାର ଫାଷ୍ଟଟ୍ରାକ୍‌ କୋର୍ଟ ସ୍ଥାପନ କାହିଁକି କରି ନାହାନ୍ତି ତା’ର ଜବାବ ଦିଅନ୍ତୁ। ଏପରିକି କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍‌ କୋର୍ଟ ପାଇଁ ୬୦% ଅର୍ଥ ଦେଉଛନ୍ତି। ଓଡ଼ିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ। ୫ଥର ଲାଗି କ୍ରମାଗତ ଶାସନରେ ରହିବା ପରେ ମଧ୍ୟ ରାଜ୍ୟରେ ଏହି କୋର୍ଟ ସ୍ଥାପନ ହୋଇପାରିନାହିଁ। ଏବେ ଏହାକୁ ସ୍ଥାପନା କରାଯିବ ବୋଲି କୁହାଯାଉଛି। ନିଷ୍ପତି ସେପ୍ଟେମ୍ବରରୁ ନିଆଯାଇଥିବା ବେଳେ ୩ ମାସ ବିତିସାରିଛି। ହେଲେ କାର୍ଯ୍ୟ ଦିଗରେ କିଛି ଅଗ୍ରଗତି ହୋଇନାହିଁ ବୋଲି ମଙ୍ଗଳବାର ରାଜ୍ୟ କାର୍ଯାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ଏବେ ୬ଟି ମହିଳା ଥାନା ରହିଛି। ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ଏତିକି ଥାନା ଯଥେଷ୍ଟ ନୁହେଁ। ୨ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲାରେ ମହିଳା ଥାନା ସ୍ଥାପନ କରାଯାଉ। ପୋଲିସ ବିଭାଗରେ ସ୍ପେଶାଲ ସ୍କ୍ବାର୍ଡ ଗଠନ ହେଉ। ବିଶେଷକରି ବଳାତ୍କାର ମାମଲାଗୁଡ଼ିକର ତଦନ୍ତ ଉକ୍ତ ସ୍କ୍ବାର୍ଡ କରୁ। ୨୦୧୮ରେ ୨୫୦୨ଟି ବଳାତ୍କାର ଘଟଣା ଘଟିଥିଲା। ୨୦୧୯ ନଭେମ୍ବର ସୁଦ୍ଧା ୧୧୪୯ ବଳାତ୍କାର ଘଟଣା ପୋଲିସରେ ରେକର୍ଡ ହୋଇଛି। ଏହାକୁ ଦେଖିଲେ ରାଜ୍ୟରେ ବଳାତ୍କାର ମାମଲା ବଢ଼ିଚାଲୁଥିବା ସହଜରେ ଅନୁମେୟ। ଏସବୁ ଘଟଣାରେ କେବେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ରାଜ୍ୟ ମୁଖ୍ୟପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।