ରାଜ୍ୟରେ ପ୍ରଥମ:ପେପରଲେସ୍‌ ଅଭିଯୋଗ ଶୁଣାଣି

ସମ୍ବଲପୁର,୧୬।୯(ବ୍ୟୁରୋ): ସାଧାରଣ ଲୋକଙ୍କୁ ଅଭିଯୋଗ କରିବା ପାଇଁ ଆଉ ଜିଲାପାଳ ଅଫିସ, ବ୍ଲକ ଅଫିସ କିମ୍ବା ଅନ୍ୟାନ୍ୟ ଅଫିସକୁ ଯିବାକୁ ପଡିବ ନାହିଁ। ଏଣିକି ସେମାନେ ଅନ୍‌ଲାଇନ ମାଧ୍ୟମରେ ବ୍ୟକ୍ତିଗତ ହେଉ କିମ୍ବା ସାମୂହିକ ଅଭିଯୋଗ କରିପାରିବେ। ସୋମବାର ସମ୍ବଲପୁର ଜିଲାପାଳ ଶୁଭମ୍‌ ସକ୍‌ସେନା ମାନେଶ୍ୱର ବ୍ଲକ ପରିସରରେ ଜିଲାସ୍ତରୀୟ ଅନ୍‌ଲାଇନ ଗ୍ରିଭାନ୍ସ ସେଲ୍‌ ସେବା ଉଦ୍‌ଘାଟନ କରିଛନ୍ତି । ଜିଲାପାଳ ସକ୍‌ସେନାଙ୍କ କହିବାନୁସାରେ, ଅଭିଯୋଗଗୁଡିକୁ ପେପରଲେସ୍‌ କରିବାକୁ ଜିଲା ପ୍ରଶାସନ ଉଦ୍ୟମ କରିଛି । ଏଥିରେ ଜଣେ ବ୍ୟକ୍ତି ଅଭିଯୋଗ କଲାପରେ ତାହା ରେଜିଷ୍ଟ୍ରେଶନ୍‌ ହୋଇ ତାଙ୍କ ପାଖକୁ ମୋବାଇଲରେ ମେସେଜ୍‌ ଦ୍ୱାରା ଯିବ। ଅଭିଯୋଗ ସମାଧାନ ପରେ ସ୍ଥିତି ଉପରେ ତାଙ୍କୁ ସୂଚନା ଦିଆଯିବ। ଏହି ଗ୍ରିଭାନ୍ସ ସେଲ୍‌ରେ ଜିଲାର ସମସ୍ତ ବିଭାଗର ଅଧିକାରୀ ରହିଛନ୍ତି । ସେମାନେ ମଧ୍ୟ ଅଭିଯୋଗ ଉପରେ କ’ଣ ସମାଧାନ କରାଗଲା ସେ ନେଇ ସୂଚନା ପ୍ରଦାନ କରିବେ । ଏହି ଅବସରରେ ଏସ୍‌ପି କନୱର ବିଶାଳ ସିଂ, ଡିଏଫ୍‌ଓ ଡ. ସଞ୍ଜିତ କୁମାରଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।