‘ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ଗୌଣ କରିବା କ୍ଷୋଭର ବିଷୟ’

ଭୁବନେଶ୍ୱର,୭।୧(ବ୍ୟୁରୋ):ପଞ୍ଚାୟତ ବ୍ୟବସ୍ଥା ହେଉଛି ଦେଶର ବିକାଶ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ। ପଞ୍ଚାୟତ ବ୍ୟବସ୍ଥା ସୁଦୃଢ଼ ନ ହେଲେ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବନୁହେଁ। କ୍ଷମତା ବିକେନ୍ଦ୍ରିତ ନ ହେଲେ ବିକାଶ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୁଏ। ଏହି କଥାକୁ କଂଗ୍ରେସ ସର୍ବଦା ଗୁରୁତ୍ୱ ଦେଇ ଆସିଛି ଏବଂ ସେଥିପାଇଁ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନ ଆଇନ୍‌ କଂଗ୍ରେସ ସରକାର ଆଣିଥିଲା। ସେହି ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସୋମବାର କଂଗ୍ରେସ ଭବନଠାରେ ଏକ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ଅନୁଷ୍ଠାନ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀ ମିନାକ୍ଷୀ ନଟରାଜନ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶାରେ ଏହି ପଞ୍ଚାୟତ ବ୍ୟବସ୍ଥାର ଗୁରୁତ୍ୱକୁ ଗୌଣ କରି ଦେଇଥିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯିବ ବୋଲି ମିନାକ୍ଷୀ କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇ ପଞ୍ଚାୟତ ବ୍ୟବସ୍ଥାର ସଂସ୍କାର ପାଇଁ ଆହ୍ବାନ ଦେଇଛନ୍ତି। ପିସିସି ମୁଖପାତ୍ର ସୁଦର୍ଶନ ଦାସ ପଞ୍ଚାୟତ ପ୍ରତିନିଧିମାନଙ୍କ ଜିଲା/ସଂସଦୀୟ କ୍ଷେତ୍ରସ୍ତରୀୟ କର୍ମଶାଳା ଆୟୋଜନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଜିଲାରୁ ଆସିଥିବା ପ୍ରତିନିଧିମାନଙ୍କ ସହ ମିନାକ୍ଷୀ ନଟରାଜନ ପୃଥକ ପୃଥକ ଆଲୋଚନା କରି ଏହି ପ୍ରକ୍ରିୟାକୁ କେମିତି ଆଗକୁ ନେଇହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ଚଳିତ ମାସରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର ଇତ୍ୟାଦି ସଂସଦୀୟ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାର ନିଷ୍ପତ୍ତିି ହୋଇଛି ବୋଲି ନିରଞ୍ଜନ କହିଛନ୍ତି।