ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୫-୪୦ ବର୍ଷୀୟଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ସେଥିରୁ ୧୦୨ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ଜଣଙ୍କ ମୃତ୍ୟୁ ଘଟିଛି।

ଅପରପକ୍ଷେ କରୋନା ଏବେ ରାଜ୍ୟର ୧୪ ଜିଲାରେ ମଧ୍ୟ ପହଞ୍ଚିଛି। ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଳାହାଣ୍ଡି, ଦେଓଗଡ଼,କୋରାପୁଟ, ଝାରସୁଗୁଡ଼ା, କେନ୍ଦୁଝର, କଟକ, ଢ଼େଙ୍କାନାଳ ଏବଂ ପୁରୀ ଜିଲାରେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଅଧିକ ସଂକ୍ରମିତ ମାମଲାରେ ଖୋର୍ଦ୍ଧା ପ୍ରଥମ ସ୍ଥାନରେ ରହିଛି।

ମୋଟ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ସେଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ଥିବା ୧୫ଜଣ ଅଛନ୍ତି। ସେହିଭଳି ୪୧-୬୦ ବର୍ଷ ବୟସ ଥିବା ୪୦ଜଣ, ୧୫-୪୦ ବର୍ଷ ବୟସ ଥିବା ୬୩ଜଣ, ୦-୧୪ ବର୍ଷ ବୟସର ୧୦ଜଣ ରହିଛନ୍ତି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୯୨ଜଣ ପୁରୁଷ ଏବଂ ୩୬ଜଣ ମହିଳା ଅଛନ୍ତି। ତେବେ ଗୁରୁବାର ଚିହ୍ନଟ ହୋଇଥିବା ୧୪ଜଣ ନୂଆ ଆକ୍ରାନ୍ତଙ୍କ ବିଷୟରେ ସବିଶେଷ ସୂଚନା ମିଳିପାରିନାହିଁ।