ରାଜ୍ୟରୁ ନିଶା ବନ୍ଦ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୩୦ ଗିରଫ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟରେ ନିଶା ବନ୍ଦ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତା’ର ଆନ୍ଦୋଳନକୁ ଜୋର୍‌ଦାର କରିଛି। ସଙ୍ଗଠନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଧାରଣା ଚାଲିଥିବାବେଳେ ଶନିବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ସଙ୍ଗଠନର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସଦସ୍ୟ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଆଡ଼କୁ ଯାଉଥିଲେ। ଶିଶୁ ଭବନ ଛକରେ ପୋଲିସ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ମହିଳା ଆନ୍ଦୋଳନକାରୀମାନେ ରାସ୍ତାରେ ଶୋଇଯାଇଥିଲେ। ଏହାକୁ ନେଇ ସେଠାରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ୩୦ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।

ସଂଗଠନ ସଭାପତି ପଦ୍ମଚରଣ କହିଛନ୍ତି, ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଶାରେ ନିଶା ନିବାରଣ ଆଇନ ପାରିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ସରକାର ଏ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି। କିନ୍ତୁ ବର୍ତ୍ତମାନର ସରକାର ଏହି ଆଇନକୁ ଓଲଟାଇ ଦେଇଛନ୍ତି। ସରକାର ମଦ ବନ୍ଦ କରିବା ବଦଳରେ ଅଧିକ ରାଜସ୍ବ ଲାଗି ଏହି ବ୍ୟବସାୟକୁ ବଢ଼ାଇବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଫଳରେ ନାବାଳକଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ପରିବାର ଓ ଗାଁରେ ନାନା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବହୁ ପରିବାର ଉଜୁଡି ଯାଇଥିବାବେଳେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ମଧ୍ୟ ବାଟବଣା ହୋଇଛି। ଏଥିଯୋଗୁ ବହୁ ଅପରାଧ ବଢ଼ୁଛି। ଅନେକ ଜୀବନ ଯାଉଛି। ତେଣୁ ତୁରନ୍ତ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହେଉ ବୋଲି ସେ ଦାବି କରିଛନ୍ତି। ନଚେତ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ସଂଗଠନର କାହ୍ନୁଚରଣ ବେହୁରା, ଡ.ବିଜୟ ସ୍ବାଇଁ, ରମାକାନ୍ତ ମଣ୍ଡଳ, ଖଗେଶ୍ୱର ବଳ, ବାଣୀ ଦାସ ପ୍ରମୁଖ ସାମିଲ ଥିଲେ।