ରାଜ୍ୟପାଳ ପୁରସ୍କାର ପାଇବ ଜାମୁଣ୍ଡା ଏସ୍‌ଏଚ୍‌ଜି

ଜୟପୁର,୧୪।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ରାଜ୍ୟପାଳ ଏହି ସଫଳ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି । ଏହି ଏସ୍‌ଏଚ୍‌ଜି ମୁଖ୍ୟତଃ ଗ୍ରାମର ପଞ୍ଚାୟତ ପୋଖରୀରେ ଦୁଇବର୍ଷ ହେଲାଣି ମାଛ ଚାଷ କରୁଥିବା ବେଳେ ଏହାକୁ ବଜାରରେ ବିକ୍ରି କରିବା ସହିତ ଆୟ ବୃଦ୍ଧି କରିଛନ୍ତି । ଫଳରେ ଏସ୍‌ଏଚ୍‌ଜିର ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇପାରିଛି । ତେଣୁ ଚଳିତ ୨୦୧୯-୨୦ ବର୍ଷର ଖରିଫ ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ କ୍ରୟକାରୀ ସଂସ୍ଥା ଭାବେ ଏହି ଗୋଷ୍ଠୀ ଭାଗ ନେବାକୁ ଯୋଗ୍ୟ ହୋଇଛି। ଜାମୁଣ୍ଡା ପଞ୍ଚାୟତରେ ୩୯୫ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇଛି। ଏଥିମଧ୍ୟରୁ ୩୪୭ ଜଣ ଚାଷୀ ଅଦ୍ୟାବଧି ୩୫ ହଜାର ୫୫୫ କୁଇଣ୍ଟାଲ ୫୩ କିଲୋଗ୍ରାମ ଧାନ ବିକ୍ରି କରିସାରିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଯୋଗୁ ରାଜ୍ୟ ସରକାରଙ୍କୁ ସଭାପତି, ସଂପାଦକ ଏବଂ ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଏହି ଏସ୍‌ଏଚ୍‌ଜିକୁ ସରକାର ଏବଂ ପ୍ରଶାସନ ଯେଉଁ ଦାୟିତ୍ୱ ଦେବେ, ତାହାକୁ ପାଳନ କରିବା ସହ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସେମାନେ ସାମିଲ ହେବେ ବୋଲି ସଭାପତି ସୁଜାତା ପାଣିଗ୍ରାହୀ କହିଛନ୍ତି।