ରାଜ୍ୟକୁ ମଦମୁକ୍ତ ଦାବିରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବାଲେଶ୍ୱର ଅଫିସ, ୩୧।୧-ବାଲେଶ୍ୱର ଉତ୍କଳ ମହିଳା ସମିତି ପକ୍ଷରୁ ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।
ଉତ୍କଳ ମହିଳା ସମିତିର ଜିଲା ସଭାନେତ୍ରୀ ବନ୍ଦନା ବିଶ୍ୱାସଙ୍କ ନେତୃତ୍ୱରେ ଶତାଧିକ ମହିଳା ବାଲେଶ୍ୱର ରେଳଷ୍ଟେଶନରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟର ବରିଷ୍ଠ ନାରୀନେତ୍ରୀ ବନଲତା ଜେନା, ରାଜ୍ୟ ସମ୍ପାଦିକା ପ୍ରଭାବତୀ ଦାସ, ‘ମୋନା’ର ଜିଲା ସାଧାରଣ ସମ୍ପାଦିକା ମମତା ମହାପାତ୍ର, ସିପିଆଇ ଜିଲା ସହସମ୍ପାଦକ ଭାଗବତ ପ୍ରତିହାରୀ ଓ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଓଡ଼ିଶାକୁ ମଦମୁକ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାର ଅଧିକ ରାଜସ୍ବ ଲୋଭରେ ଗାଁଗଣ୍ଡାରୁ ସହରର ଗଳିକନ୍ଦିରେ ମଦଦୋକାନ ଖୋଲୁଥିବା ଅଭିଯୋଗ ଆଣିଥିଲେ। ୧୯୫୬ ମସିହାରେ ଆମ ରାଜ୍ୟରେ ପ୍ରଣୀତ ନିଶାମୁକ୍ତ ଓଡ଼ିଶା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରି ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦାବି କରିଥିଲେ। ଜିଲା ସମ୍ପାଦିକା ଅରୁଣା ବାରିକ, ସଦର ବ୍ଲକ ସଭାପତି ସୁହାଗୀ ମାଝି, ଲକ୍ଷ୍ମୀ ଟୁଡୁ, ଯମୁନା ମାଝି, ଊର୍ମିଳା ଜେନା, ସବିତା ଅଗସ୍ତି, ପ୍ରଭାତୀ ରାଉତ, କମଳା ବେହେରା, ଉଷାରାଣୀ ଜେନା, କଳ୍ପନା ପାତ୍ର, କୌଶଲ୍ୟା ମଲ୍ଲିକ, ଭାରତୀ ପ୍ରଧାନ, ଯତୀନ ପାତ୍ର, ଦେବେନ୍ଦ୍ର ଜେନା, ବେଣୁଧର ବାରିକ ଓ କୈଳାଶ ପଣ୍ଡା ପ୍ରମୁଖ ଶୋଭାଯାତ୍ରାରେ ସହଯୋଗ କରିଥିଲେ।