ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ସହ ଯୋଗାଯୋଗ କର

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ହେବ ସମଗ୍ର ଦେଶ ଲକ୍‌ଡାଉନରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ବସ୍‌, ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଅନେକ ଶ୍ରମିକ ପିଲାଛୁଆଙ୍କୁ ଧରି ଭୋକ ଉପବାସରେ ମାଇଲ ମାଇଲ ଦୂର ରାଜପଥ ଓ ଟ୍ରେନ ଲାଇନ ଉପରେ ଚାଲି ଚାଲି ଯାଉଛନ୍ତି। ଟ୍ରେନ ଲାଇନରେ ଯାଉଥିବା ବେଳେ ଟ୍ରେନ ଧକ୍କାରେ କେତେକ ଶ୍ରମିକଙ୍କର ପ୍ରାଣ ହାନୀ ମଧ୍ୟ ହୋଇଛି। କୌଣସି ସୁବିଧା ନ ଥିବାରୁ ଶ୍ରମିକମାନେ ନିଜ ପେଟରୁ କାଟି ବସଭଡା ଦେଇ ଆସୁଛନ୍ତି। ଏ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ସେହି ଶ୍ରମିକମାନେ ଯେପରି ଚାଲି ଚାଲି ନ ଯିବେ ସେଥିପାଇଁ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବା ଆରମ୍ଭ କରିଛନ୍ତି। ସେହି ଟ୍ରେନ୍‌ଗୁଡିକୁ ରାଜ୍ୟକୁ ଯିବା ଲାଗି ଅନୁମତି ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୋମବାର ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛନ୍ତି। ଯଦି କାୈଣସି ଶ୍ରମିକ ରେଳ ଧାରଣା କିମ୍ବା ରାସ୍ତାରେ ଚାଲି ଚାଲ ିଯାଉଥିବା ନଜର ଆସିବ ସେମାନଙ୍କୁ ବୁଝାଶୁଝା କରି ନିକଟରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ନେଇ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଶ୍ରମିକ ସ୍ପେଶାଲ ଟ୍ରେନ କିମ୍ବା ବସ୍‌ରେ ସେମାନଙ୍କ ଘରକୁ ଯିବାକୁ ଅନୁମତି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବହୁ ସଂଖ୍ୟାରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳ ବିଭାଗ ସହିତ ସମନ୍ବୟ ରକ୍ଷା କରିବା ଦରକାର। ଏହାଦ୍ୱାର ଅସହାୟ ଅବସ୍ଥାରେ ଥିବା ଶ୍ରମିକମାନେ ସୁବିଧାରେ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।