Categories: ଜାତୀୟ

ରାଜୀବ କୁମାରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ, ୨୬।୫: ଶାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ତଥା ରାଜୀବ କୁମାରଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ। ତାଙ୍କ ଗିରଫଦାରୀ ଉପରେ ରହିତାଦେଶର ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ସିବିଆଇ ଏହି ନୋଟିସ ଜାରି କରିଛି। ଏ ନେଇ ସମସ୍ତ ବିମାନବନ୍ଦର ଏବଂ ବନ୍ଦରକୁ ସୂଚନା ଦେଇଛି ସିବିଆଇ। ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହେବା ପରେ ଏବେ ଯେକୌଣସି ମୂହୁର୍ତ୍ତରେ ଗିରଫ କରିପାରେ ପୋଲିସ। ସୁପ୍ରିମକୋର୍ଟ ମେ ୧୭ ତାରିଖ ଦିନ ରାଜୀବ କୁମାରଙ୍କୁ ଗିରଫ କରିବା ବିରୋଧରେ ଦେଇଥିବା ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏଥିସହ ଗିରଫଦାରୀରୁ ବର୍ତ୍ତିବା ପାଇଁ ୨୪ତାରିଖ ସୁଦ୍ଧା ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ତେବେ କୋଲକାତା ହାଇକୋର୍ଟରେ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଥିବାରୁ ସେଠାରେ ନ୍ୟାୟ ପ୍ରକ୍ରିୟା ଅଚଳ ରହିଛି। ତେଣୁ ସୁପ୍ରିମକୋର୍ଟରେ ତାଙ୍କର ଗିରଫ ସଂରକ୍ଷଣ ଅବଧି ବଢ଼ାଇବା ପାଇଁ ରାଜୀବ କୁମାର ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।
ସୂଚନାଯୋଗ୍ୟ,ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଯାଞ୍ଚକୁ ଠିକ ଭାବେ କରିନଥିବା ନେଇ ରାଜୀବ କୁମାରଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା।

Share