ରାଜସ୍ବ ମନ୍ତ୍ରୀଙ୍କ କେନ୍ଦୁଝର ଜିଲା ଗସ୍ତ: ତୃଣମୂଳ ସ୍ତରରେ ସେବା ପହଞ୍ଚାଅ

କେନ୍ଦୁଝର, ୨୭ା୧୨(ସ୍ବ.ପ୍ର./ଡି.ଏନ.ଏ.)- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର କେନ୍ଦୁଝର ଜିଲା ଗସ୍ତରେ ଆସି ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’, ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ସାଧାରଣ ଲୋକେ ଯେପରି ପାଇପାରିବେ ସେଥିନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଲୋକ ସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ସମେତ ଡେପୁଟି କଲେକ୍ଟର ସୋନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ରାଜ୍ୟସ୍ବ ବିଭାଗ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଡଃ ଭକ୍ତଚରଣ ପ୍ରଧାନ ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହ ରାଜ୍ୟସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ତହସିଲ ଆମ ଗାଁ ରେ’, ‘ବସୁନ୍ଧରା’, ‘ଜାଗା ମିଶନ୍‌’, ‘ଜଙ୍ଗଲ ଅଧିକାର ଆଇନ’ ଭଳି କାର୍ଯ୍ୟକ୍ରମରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସମ୍ପର୍କରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ। ଏହାସହ ଜିଲାର ବିଭିନ୍ନ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ତହସିଲ ଅଞ୍ଚଳରେ କେତେ ସରକାରୀ ଜମି ଜବରଦଖଲ ହୋଇଛି ତାହା ଅଟକଳ କରିବା ସହ ବାଲି, ପଥର ଚୋରି ରୋକିବା ନେଇ ଆଲୋଚନା ହୋଇଥିଲା। ସେହିପରି ପଞ୍ଜୀକରଣ, ଷ୍ଟାମ୍ପ ଡ୍ୟୁଟି, ଓଆର୍‌ଟିପିଏସ୍‌, ଓଏଲ୍‌ଆର୍‌, ସରକାରୀ ଜମିର ସୁରକ୍ଷା, ଗୋଷ୍ଠୀ ଅଧିକାର, ପଟ୍ଟା ବଣ୍ଟନ, ଗୋଷ୍ଠୀ ଜଙ୍ଗଲ ଅଧିକାର ସଂକ୍ରାନ୍ତରେ ରାଜ୍ୟସ୍ବ ମନ୍ତ୍ରୀଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥ୍‌ାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲାର ସମସ୍ତ ଉପଜିଲାପାଳ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।