ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ବରିଷ୍ଠ ଓଏଏସ୍‌ ଅଧିକାରୀ। ଏଥିପୂର୍ବରୁ ସେ ଭୁବନେଶ୍ୱର ଇଡ୍‌କୋରେ ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏଥିସହ ସୁନ୍ଦରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ସେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସେ ବିଭାଗୀୟ ପ୍ରକୋଷ୍ଠଗୁଡିକୁ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।