Posted inଖେଳ

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ ବାକିଥାଇ ୩ ଉଇକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୭୭ ରନ କରି ବିଜୟୀ ହୋଇଥିଲା। ଏଥିସହିତ ୧୧ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ୭ଟି ପରାଜୟ ସହ ୮ ପଏଣ୍ଟ ହାସଲ କରି ରାଜସ୍ଥାନ ତାଲିକାର ସପ୍ତମ ସ୍ଥାନକୁ ଉଠିଛି। କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଅପରାଜିତ ୯୭ ରନର ଦ୍ରୁତ ପାଳି ବେକାର ସାବ୍ୟସ୍ତ ହୋଇଛି। ୨୦ ରନ ଦେଇ ଗୋଟିଏ ମେଡେନ ନେବା ସହ କୋଲକାତାର ଦୁଇ ଓପନରଙ୍କୁ କ୍ଲିନ୍‌ ବୋଲ୍ଡ କରିଥିବା ଦ୍ରୁତ ବୋଲର ବରୁଣ ଆରୋନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୭୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା। ପ୍ରଥମ ଉଇକେଟ ଯୋଡିରେ ଅଜିଙ୍କ୍ୟ ରାହାନେ ଓ ସଞ୍ଜୁ ସାମସନ ୩୨ ବଲରୁ ୫୩ ରନ ସଂଗ୍ରହ କରିଥିଲେ। ରାହାନେ ୩୪ ରନ କରି ସୁନୀଲ ନାରିନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହେବାପରେ ସାମସନ ୨୨ ରନ କରିଥିବା ବେଳେ ପୀୟୂଷ ଚାଓ୍ବଲାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୨ ରନ କରିଥିବା ବେଳେ କ୍ଳିନ୍‌ ବୋଲ୍ଡ ହୋଇ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ଚାଓ୍ବଲାଙ୍କ ବଲ୍‌ରେ ଆନ୍ଦ୍ରେ ରସେଲଙ୍କୁ କ୍ୟାଚ୍‌ ଦେଇଥିଲେ। ଷ୍ଟୁଆର୍ଟ ବିନ୍ନୀ ୧୧ ରନ କରି ରିଙ୍କୁ ସିଂଙ୍କୁ କ୍ୟାଚ୍‌ ଦେଇ ଚାଓ୍ବଲାଙ୍କ ତୃତୀୟ ଶିକାର ହୋଇଥିଲେ। ଶ୍ରେୟାସ ଗୋପାଲ ୯ ବଲରୁ ୪ ଚୌକା ସହ ୧୮ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ୩୧ ବଲରୁ ୫ ଚୌକା ଓ ୨ ଛକା ସହ ୪୭ ରନ କରି ଦଳକୁ ବିଜୟ ଆଡକୁ ନେଇଥିବା ବେଳେ ରିୟାନ ପରାଗ ରସେଲଙ୍କ ବଲ୍‌ରେ ହିଟ୍‌ ଉଇକେଟ ହୋଇଥିଲେ। ତେବେ ଏହାପରେ ଜୋଫ୍ରା ଆର୍ଚର ୧୨ ବଲରୁ ୨ ଚୌକା ଓ ୨ ଛକା ସହ ଅପରାଜିତ ୨୭ ରନ କରି ଦଳକୁ ଜିତାଇଥିଲେ। ବୋଲିଂରେ କୋଲକାତା ତରଫରୁ ଚାଓ୍ବଲା ୩, ନାରିନ ୨, କ୍ରିଷ୍ଣା ଓ ରସେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଉଇକେଟର ପତନ ହେଉଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଉପଯୋଗୀ ତଥା ଦ୍ରୁତ ଇନିଂସ ଖେଳି କୋଲକାତାକୁ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ। କାର୍ତ୍ତିକ  ୫୦ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୯ ଛକା ସହ ୯୭ ରନ କରି ଅପରାଜିତ ରହିଥିଲେ ଓ ମାତ୍ର ୩ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଓପନର କ୍ରିସ୍‌ ଲିନ୍‌ଙ୍କୁ ତୃତୀୟ ବଲରେ ହରାଇ ଦଳ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିନ୍‌ ଖାତା ଖୋଲି ନ ପାରି ବରୁନ ଆରୋନଙ୍କ ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୪ ବଲରୁ ୨ ଚୌକା ସହ ୧୪ ରନ କରିଥିବା ବେଳେ କ୍ଲିନ୍‌ ବୋଲ୍ଡ ହେବା ସହ ଆରୋନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଇନ୍‌ଫର୍ମ ନୀତୀଶ ରାଣା ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ସହ ମାତ୍ର ୨୧ ରନ କରି ଶ୍ରେୟାସ ଗୋପାଲଙ୍କ ବଲ୍‌ରେ ଆରୋନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ କୋଲକାତା ୮୦ ରନରେ ୪ ଉଇକେଟ ହରାଇଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଅଧିନାୟକ ଦୀନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ୩୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ରସେଲ ୧୪ ବଲରୁ ୧ ଛକା ସହ ୧୪ ରନ କରି ଓଶେନ୍‌ ଥୋମାସଙ୍କ ବଲ୍‌ରେ ଓ କାର୍ଲୋସ ବ୍ରାଥଓ୍ବେଟ ୫ ରନ କରିଥିବା ବେଳେ ଉନାଡକଟଙ୍କ ଦ୍ୱାରା ଆଉଟ ହୋଇଥିଲେ। ରିଙ୍କୁ ସିଂ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ  ରାଜସ୍ଥାନ ତରଫରୁ ଆରୋନ ୨, ଥୋମାସ, ଗୋପାଲ ଓ ଉନାଡ଼କଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri