ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏହି ଅବସରରେ ବହୁ ସାଧୁସନ୍ଥ ଉପସ୍ଥିତ ହୋଇଥିଲେ। ମା’ ଗୋଲାପୀ ପାଟବସ୍ତ୍ର ପରିଧାନକରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ବାଘ ମା’ଙ୍କର ବାହନ ଥିବାବେଳେ ମୁଖମଣ୍ଡଳ ପଦ୍ମ ବର୍ଣ୍ଣ ଥିଲା। ହସ୍ତରେ ଖଡ୍ଟ ଓ ଚକ୍ର ଧାରଣକରି ଚତୁର୍ଦ୍ଧାମୂର୍ତ୍ତିରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ରାଜରାଜେଶ୍ୱରୀ ବେଶକୁ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟ ସିଦ୍ଧି ହେବା ସହ ଯଶ ଓ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ପୀଠରେ ବିଶ୍ୱଶାନ୍ତି ଯଜ୍ଞର ତୃତୀୟ ଦିନରେ ବେଦ ପଠନ, ସପ୍ତଶତୀ ଚଣ୍ଡୀପାଠ, ଗୀତାଯଜ୍ଞ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ବୁଧବାର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେବେ ।