ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁନ୍ଦରଗଡ, ୧୪।୭ (ଡି.ଏନ୍‌.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ ଶ୍ରୀଜୀଉମାନଙ୍କ ମନ୍ଦିର ପ୍ରବେଶ ପରେ ଶନିବାର ମନ୍ଦିରରେ ଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜୀଉମାନଙ୍କୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ କରିଥିଲେ। ସେହିପରି ସହରର ମହେଶଡିହି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଶନିବାର ଜୀଉମାନଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜୀଉମାନଙ୍କୁ ପହଣ୍ଡି ବିଜେ କରି ରଥାଋଢ କରାଯିବା ପରେ ଅପରାହ୍ନରେ ରଥଟଣା ହୋଇଥିଲା। ଯାତ୍ରାପଡିଆରେ ବହୁସଂଖ୍ୟାରେ ଦୋକାନ ବଜାର ଖୋଲିଥିଲା।