ରାଜନଗରରେ ବୁଲ୍‌ବୁଲ୍‌ ପ୍ରଭାବ: ୨୩ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଦିଆଗଲା ରନ୍ଧାଖାଦ୍ୟ

ରାଜନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ସହ ୧୦୦ କିଲୋମିଟର ବେଗରେ ପବନ ବହିଥିଲା। ଏତଦ୍‌ବ୍ୟତୀତ ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଛନ୍ତି। ବ୍ଲକ ଅନ୍ତର୍ଗତ ୨୩ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ରାତି ୮ଟାରେ ଜିଲାପାଳ ସମର୍ଥ ବର୍ମା ନିଜେ ରାଜନଗରରେ ରହି ବାତ୍ୟା ମୁକାବିଲା ଲାଗି ସବୁପ୍ରକାର ବ୍ୟବସ୍ଥା କରିଥିଲେ। ଅନ୍ୟପକ୍ଷରେ ରାଜନଗର ଓ ଆଖପାଖ ଅଞ୍ଚଳର ଏକର ଏକର ଖରିଫ ଧାନ ଫସଲ ପାଣିରେ ବୁଡିଯାଇଥିବା ଯୋଗୁ ଚାଷୀ ଚିନ୍ତାରେ ରହିଛନ୍ତି।