ରାଜଧାନୀରେ ଯୁବକଙ୍କୁ ଗଳାକାଟି ହତ୍ୟା, କାର୍ଟୁନରେ ଗୁଡ଼ାଇ ଫିଙ୍ଗିଦେଲେ

ଭୁବନେଶ୍ୱର,୨।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟରେ ଥିବା ଏକ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରୁ ଶନିବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ନୟାଗଡ଼ କଣ୍ଟିଲୋ ଅଞ୍ଚଳର ଦିଲୀପ କୁମାର ସାହୁ। ଦିଲୀପଙ୍କୁ ମଦ ପିଇବାକୁ ଡାକି ଗଳାକାଟି ହତ୍ୟା କରାଯାଇଥିବା ପୋଲିସ ପାରିପାଶ୍ୱିକ ସ୍ଥିତିରୁ ସନ୍ଦେହ କରୁଛି।
ସୂଚନାନୁଯାୟୀ, ଦିଲୀପ ସ୍ଥାନୀୟ ଏକ ଅଟାକଳରେ ଦୀର୍ଘଦିନ ହେବ କାମ କରୁଥିଲେ। ସେ ତିନି ଜଣ ସାଙ୍ଗଙ୍କ ସହ ରେଣ୍ଟାଲ କଲୋନୀରେ ରହୁଥିଲେ। ପୋଲିସ ମୃତଦେହ ଜବତ କରିବା ପୂର୍ବରୁ ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ତେବେ ପୋଲିସ ଉକ୍ତ ଘରକୁ ଯାଞ୍ଚ କରିବା ବେଳେ ପଖାଳ ଭାତ ବଢ଼ା ହୋଇ ଥୁଆ ହୋଇଥିବା ଦେଖାଯାଇଛି। ଏଥିସହ ଛାତ ଉପରେ ମଦ ପିଇବା ଭଳି ବନ୍ଦୋବସ୍ତ କରାଯାଇଥିବା ପୋଲିସ ଦେଖିବାକୁ ପାଇଛି। ଏଣୁ କୌଣସି କାରଣରୁ ସେମାନେ ତାଙ୍କୁ ହତ୍ୟା କରି କାର୍ଟୁନରେ ଗୁଡ଼ାଇ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।