Categories: ଜାତୀୟ

ରାଗିଛନ୍ତି କି ସଞ୍ଜୟ!

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଠାରେ ମେଣ୍ଟ ସରକାର ହୋଇଥିବାରୁ ପ୍ରାୟ ସବୁ ଦଳର ସଦସ୍ୟଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏଥିରେ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଆଦିତ୍ୟ ଠାକରେଙ୍କୁ ବି କ୍ୟାବିନେଟରେ ସାମିଲ କରାଯାଇଛି। ସବୁଠାରୁ ବଡ କଥା ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ଶିବସେନାର ଆଗ ଧାଡିର ନେତା ସଞ୍ଜୟ ରାଉତଙ୍କୁ ଦେଖିବାକୁ ମିଳି ନ ଥିଲା। ଏବେ ଆଲୋଚନା ହେଉଛି କି ସଞ୍ଜୟ ଶିବାସେନାର ଟାଣୁଆ ନେତା ହୋଇଥିବା ବେଳେ କାହିଁକି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ନାହିଁ। କେହି କେହି କହୁଛନ୍ତି କି ସଞ୍ଜୟଙ୍କ ଭାଇ ସୁନୀଲ ରାଉତଙ୍କୁ ଏଥର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ନ ଥିବାରୁ ହୁଏତ ସଞ୍ଜୟ ରାଗି ଥାଇ ପାରନ୍ତି। ଯଦିଓ ସଞ୍ଜୟ ନ ଆସିବାର ସଠିକ୍‌ କାରଣ ଜଣାପଡିନାହିଁ ତଥାପି ଏହା ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ଆଉ ସଞ୍ଜୟଙ୍କର ଶିବସେନାଠାରୁ ଏହି ଦୂରତାକୁ ନେଇ ଆହୁରି ମଧ୍ୟ ଆଲୋଚନା ହେଉଛି କି ମହାରାଷ୍ଟ୍ରରେ କର୍ନାଟକ ଭଳି ପରିସ୍ଥିତି ସୃଷ୍ଟି ହେବନି ତ! କିନ୍ତୁ ସଞ୍ଜୟ ଯେପର୍ଯ୍ୟନ୍ତ ଏହାର ସଠିକ୍‌ କାରଣ କହି ନାହାନ୍ତି ସେପର୍ଯ୍ୟନ୍ତ ଏମିତି ଦ୍ୱନ୍ଦ୍ୱ ଲାଗି ରହିବ ବୋଲି କୁହାଯାଉଛି।

Share