ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ

କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର କରୋନା ହସ୍ପିଟାଲ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍‌ରେ କାର୍ଯ୍ୟକ୍ଷମ କରାଯାଉଛି। ବୁଧବାର ଓଡ଼ିଶା ଦିବସ ଅବସରରେ ପଶ୍ଚିମ ଓଡ଼ିଶାର ପ୍ରଥମ କୋଭିଡ-୧୯ ସ୍ବତନ୍ତ୍ର ହସ୍ପିଟାଲ ରାଉରକେଲା ହାଇଟେକ ମେଡିକାଲ କଲେଜରେ ଖୋଲିବା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସୁନ୍ଦରଗଡ଼ ଜିଲାପାଳ ନିଖିଲ ପୱନ କୁମାରଙ୍କ ନେତୃତ୍ୱରେ ଉପଜିଲାପାଳ ଅଭିମନ୍ୟୁ ବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନତ ମିଶ୍ର ଏବଂ ହାଇଟେକ ଗ୍ରୁପ ସିଇଓ ସୁଶାନ୍ତ କୁମାର ଆଚାର୍ଯ୍ୟ, ପରିଚାଳନା ଅଧିକାରୀ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଏହି ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ହସ୍ପିଟାଲରେ ୧୨ ଆଇସିୟୁ ଶଯ୍ୟା, ୩୮ ଆଇସୋଲେଶନ ଏବଂ ୧୫୦ଟି ସାଧାରଣ ଶଯ୍ୟା ପାଇଁ ଅନୁମତି ଦିଆଯାଇଛି। ୨୪ ଘଣ୍ଟିଆ ନିଦାନ, ଫାର୍ମାସୀ, କିଚେନ ଆଦି ସୁବିଧା ମଧ୍ୟ ଦିଆଯିବ। ଏଠାରେ ୨୪ ଘଣ୍ଟିଆ ରୋଗୀସେବା ଯୋଗାଇଦେବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ନିୟୋଜିତ ହେବେ ବୋଲି ହାଇଟେକ ଗ୍ରୁପ ପ୍ରତିଷ୍ଠାତା ଡ. ତିରୁପତି ପାଣିଗ୍ରାହୀ କହିଛନ୍ତି।