ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି କରି ବିଚାରପତି ଏ.କେ. ମିଶ୍ର ସୋମବାର ଏହି ଆଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ବିବରଣୀରୁ ପ୍ରକାଶ, ଗତ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ୬୦,୮୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ନିହାର ୫୦,୪୧୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଧାୟକ ନାୟକ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଛନ୍ତି ା ସେ ଲାଭଜନକ ବ୍ୟବସାୟରେ ସାମିଲ ଥିବାବେଳେ ଏ ସମ୍ପର୍କରେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ା ସତ୍ୟପାଠ ଏହା ଲୁଚାଇଥିବାରୁ ସେ ଜନ ପ୍ରତିନିଧି ଆଇନର ଉଲଂଘନ କରିଛନ୍ତି।