ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସନ୍ତୋଷ ସୋନି(୩୯)। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଏସିଡ୍‌ ମାଡ଼ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ବୁଧବାର ରାତି ପ୍ରାୟ ସାଢେ ୮ଟାରେ ସନ୍ତୋଷ ଉକ୍ତ ପରିବାର ଉପରେ ଏସିଡ୍‌ ମାଡ଼ କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଏକ ଅଭାବନୀୟ ଘଟଣା କ୍ରମରେ ସେକ୍ଟର ଏ ଅଞ୍ଚଳ ଘର ନଂ-୪୧୫ରେ ରହୁଥିବା ସୁଲୋଚନା ପାଣ୍ଡେ(୪୮), ପୁଅ ନଗେନ୍ଦ୍ର(୨୫), ବିଦ୍ୟାକାନ୍ତ(୨୨) ଓ ଅନ୍ୟ ଜଣେ ସଦସ୍ୟା ସଂଗୀତା(୨୪)ଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ୪ଜଣଙ୍କୁ ଆହତ ଅବସ୍ଥାରେ ପ୍ରଥମେ ପାଖ ରେଲୱେ ହସ୍ପିଟାଲ ଓ ପରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଗୁରୁବାର ଏମାନଙ୍କୁ ଛାଡ଼ି ଦିଆଯାଇଛି।