ରାଇବଣିଆରେ ୧୭ ହାତୀଙ୍କ ଉପଦ୍ରବ

ଜଳେଶ୍ୱର, ୧୨।୫(ସ୍ବ.ପ୍ର.)-ଗତ କିଛିଦିନ ବ୍ୟବଧାନ ପରେ ଶିମିଳିପାଳର ୧୭ ହାତୀ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆରେ ୨ଦିନ ଧରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି। ଏହି ହାତୀମାନେ ରାଇବଣିଆ ଅଞ୍ଚଳ ଛାଡ଼ି ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗର କେସରେଖା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବ୍ୟାପକ କ୍ଷତି କରି ଆସୁଥିବା ବେଳେ ରବିବାର ରାତିରେ ପୁଣି ଜଳେଶ୍ୱର ରେଞ୍ଜର ରାଇବଣିଆ ଅଞ୍ଚଳରେ ପ୍ରବେଶ କରିଛନ୍ତି ା ଗତ ରାତିରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡ଼ିକର ପରିବାଚାଷ, କଦଳୀ ଚାଷର କ୍ଷତି କରିଥିବା ବେଳେ ସୋମବାର ଦିନତମାମ ଧାନ କ୍ଷେତରେ ପଶି ଧାନ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି। ରାସଗୋବିନ୍ଦପୁର ରେଞ୍ଜର ହରିଣାଶୋଳ ଜଙ୍ଗଲରୁ ବାହାରି ରାଇବଣିଆର ଆମ୍ବତୁମ୍ବା, କ୍ଷୀରକୋଳିସାହି, ପ୍ରସାଦିଆ ଓ ଲୁହାପଡ଼ା ଜଙ୍ଗଲର ଆଖପାଖରେ ଧାନ ଫସଲ ନଷ୍ଟ କରି ଆସୁଛନ୍ତି। ଘଟଣା ଜଣାଯିବା ପରେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତି, ଫରେଷ୍ଟର ତପନ ସିଂହ, ମନୋହର ସିଂ, ଅଞ୍ଜନ ଦାସ, ସବୁଜ ବାହିନୀର ଅମରେଶ ଦାସ, ସୁବାସ ଦାସ ପ୍ରମୁଖ ପହଞ୍ଚତ୍ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀ ଗୁଡ଼ିକ ଜଳେଶ୍ୱର-ରାସଗୋବିନ୍ଦପୁର, କେସରେଖା ରେଞ୍ଜରେ ରହି ଦୀର୍ଘ ୮ମାସ ଧରି କ୍ଷତି କରୁଥିବାରୁ ୨ରାଜ୍ୟର ୩ଜିଲା କର୍ତ୍ତୃପକ୍ଷ ହାତୀ ଘଉଡ଼ାଇବାକୁ ଦାବି କରିଛନ୍ତି।