ରାଇଜିଂ ଷ୍ଟାର ସିଜନ୍‌-୩ର ଶ୍ରେଷ୍ଠ ୬ରେ ଅନନ୍ୟା

ଭୁବନେଶ୍ୱର, ୩୧।୫(ବ୍ୟୁରୋ): କଲର୍ସ ଚ୍ୟାନେଲରେ ପ୍ରସାରିତ ‘ରାଇଜିଂ ଷ୍ଟାର’ରେ ଓଡ଼ିଶାରୁ ପ୍ରତିଯୋଗୀ ଅନନ୍ୟା ଶ୍ରୀତମ ନନ୍ଦ ଅଂଶ ଗ୍ରହଣକରି ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଉ ଗୋଟିଏ ସପ୍ତାହ ପରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ତେଣୁ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସାଂସ୍କୃତିକ ଅନୁଷ୍ଠାନ ସ୍ବରାଭିଷେକ ପକ୍ଷରୁ ଶୁକ୍ରବାର ଗୋଦାବରୀଶ ସାହିତ୍ୟ ସଂସଦଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଟି ମୋବାଇଲରୁ ଗୋଟିଏ ଭୋଟ ଦେଇ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟିଂ କରି ବିଜୟୀ କରାଇବା ପାଇଁ ସମଗ୍ର ଓଡ଼ିଶାବାସୀଙ୍କୁ ଅନୁରୋଧ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ତରଫରୁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସମ୍ପାଦିକା ହରପ୍ରିୟା ପତି ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଯୁଗ୍ମ ଶିଳ୍ପ ନିର୍ଦ୍ଦେଶକ (ଓଡ଼ିଶା) ଭୁବନ ମହାନ୍ତି, ଅନନ୍ୟାଙ୍କ ପିତା ପ୍ରସନ୍ନ କୁମାର ନନ୍ଦ, ଭାଇ ସୁରେଶ କୁମାର ନନ୍ଦ, ଡ. ଅକ୍ଷୟ ମିଶ୍ର, କଣ୍ଠଶିଳ୍ପୀ ଶ୍ରୀନିବାସ ରାଓ, ଅନନ୍ୟାଙ୍କ ଆଦ୍ୟ ଗୁରୁ ନୀଳମଣି ଓଝା ଓ ସନ୍ତୋଷ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।