ରହଣିଆରେ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ଭଦ୍ରକ ଅଫିସ, ୨୨।୧୧- ଭଦ୍ରକ ପୌରପାଳିକାର ଚରମ୍ପା ୨ ନମ୍ବର ୱାର୍ଡ ବରାଳପୋଖରୀ ରହଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ବଖରା ଘର ଜଳିଯାଇଛି। ଗ୍ରାମର ବିଜୟ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ବୈଶାଖୀ ପ୍ରଧାନ, ପ୍ରମିଳା ପ୍ରଧାନ, ମଞ୍ଜୁଳା ପ୍ରଧାନ ଓ ଉର୍ମିଳା ପ୍ରଧାନଙ୍କ ଘର ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ପ୍ରତ୍ୟେକଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି। ନିଅଁାର ପ୍ରଖର ଏତେ ତୀବ୍ର ଥିଲା ଯେ ଭଦ୍ରକ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଅଁାକୁ ଆୟତ୍ତ କରିବା ପାଇଁ ୩ ଘଣ୍ଟା ଲାଗିଥିଲା। ନିଅଁା ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ହରେକୃଷ୍ଣ ମହାପାତ୍ର, ସମରେନ୍ଦ୍ର ଧଳ, କିଶୋର ମହାଳିକ ଓ ସାଗର ସେଠୀ ପ୍ରମୁଖ ନିୟୋଜିତ ହୋଇଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଏହି ଅଗ୍ନି ବିପନ୍ନମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।