Categories: ଖେଳ

ରସିଦଙ୍କ ଅଲରାଉଣ୍ଡ ଶୋ: ସୁବିଧାଜନକ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୭।୯(ଏଏଫ୍‌ପି)- ତାରକା ଅଲରାଉଣ୍ଡର ରସିଦ ଖାଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ରସିଦ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରି ଦଳର ସ୍ଥିତି ଦୃଢ଼ କରିଛନ୍ତି।
ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଏହି ମୁକାବିଲାରେ ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମ ଇନିଂସରେ ୧୧୭ ଓଭରରେ ୩୪୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୭ ଓଭରରେ ୮ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଛି। ଫଳରେ ୨ ଉଇକେଟ ବାକି ରଖି ବାଂଲାଦେଶ ଏବେ ୧୪୮ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ମୋସାଡେକ ହୋସେନ ୪୪ ଓ ତାଇଜୁଲ ଇସ୍‌ଲାମ ୧୪ ରନ କରି ଅପରାଜିତ ରହିଛନ୍ତି। ବାଂଲାଦେଶ ତରଫରୁ ମଧ୍ୟରେ ମୋମିନୁଲ ହକ୍‌ ୫୨, ଲିଟନ ଦାସ ୩୩, ସୌମ୍ୟ ସରକାର ୧୭, ଅଧିନାୟକ ସାକବ ଅଲ ହାସନ ୧୧, ମେହିଦି ହାସନ ମିରାଜ ୧୧ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରସିଦ ସର୍ବାଧିକ ୪, ମହମ୍ମଦ ନବୀ ୨, ୟାମିନ ଅହମ୍ମଦ ଜାଇ ଓ କ୍ୱାଇସ୍‌ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୧/୫ରୁ ଆଫଗାଗିସ୍ତାନ ଖେଳ ଆରମ୍ଭ କରି ଶୁକ୍ରବାର ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅସଘର ଆଫଗାନ ୮୮ରୁ ଖେଳ ଆରମ୍ଭ କରି ୯୨ ରନର ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ଓଭରନାଇଟ ସ୍କୋର ୩୫ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ଅଫ୍‌ସର ଜଜାଇ ୪୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ରସିଦ ଖଁା ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ବାକି ଟେଲ ଏଣ୍ଡରମାନେ ବିଫଳ ହୋଇଥିଲେ ମଧ୍ୟ ଦଳ ସମ୍ମାନଜନକ ସ୍କୋର ହାସଲ କରିଥିଲା। ତାରକା ବ୍ୟାଟ୍ସମ୍ୟାନ ରହମତ ଶାହ ୧୦୨ ରନର ଲଢୁଆ ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ବାଂଲଦେଶ ତରଫରୁ ତାଇଜୁଲ ଇସ୍‌ଲାମ ୪, ସାକିବ ଓ ନଇମ ହାସନ ଦୁଇଟି ଲେଖାଏ, ମିରାଜ ଓ ମହମୁଦୁଲ୍ଲା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୧୧୭ ଓଭରରେ ୩୪୨ ଅଲ୍‌ଆଉଟ
(ରହମତ ଶାହ- ୧୦୨, ଅସଘର ଆଫଗାନ- ୯୨, ରସିଦ ଖାଁ- ୫୧, ଅଫସର ଜଜାଇ- ୪୧, ତାଇଜୁଲ ଇସ୍‌ଲାମ- ୪/୧୧୬, ସାକିବ ଅଲ ହାସନ- ୨/୬୪, ନୟିମ ହାସନ ୨/୪୩)।
ବାଂଲାଦେଶ ପ୍ରଥମ ଇନିଂସ- ୬୭ ଓଭରରେ ୧୯୪/୮
(ମୋମିନୁଲ ହକ- ୫୨, ଲିଟନ ଦାସ-୩୩, ମୋସାଡେକ ହୋସେନ- ୪୪*, ରସିଦ ଖାଁ- ୪/୪୭, ମହମ୍ମଦ ନବୀ- ୨/୫୩)।

Share