Categories: ଖେଳ

ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ

କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ଅସଘର ଆଫଗାନଙ୍କୁ ତାଙ୍କ ଡେପୁଟି କରାଯାଇଛି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ବିଶ୍ୱକପ୍‌ ପୂର୍ବରୁ ତିନୋଟି ଫର୍ମାଟ ପାଇଁ ପୃଥକ୍‌ ପୃଥକ୍‌ ଅଧିନାୟକ ମନୋନୀତ କରିଥିଲା। ରହମତ୍‌ ଶାହଙ୍କୁ ଟେଷ୍ଟ, ଗୁଲ୍‌ବଦିନ ନାଇବ୍‌ଙ୍କୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ରଶିଦଙ୍କୁ ଟି୨୦ ଅଧିନାୟକ ଭାବେ ମନୋନୀତ କରିଥିଲା। ମାତ୍ର ଏହା କାର୍ଯ୍ୟାକାରୀ ହୋଇପାରିଲା ନାହିଁ। ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ଭଳି ଦଳକୁ ହରାଇବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଫଗାନିସ୍ତାନ ୭ଟି ଗେମ୍‌ରୁ ଗୋଟିଏ ହେଲେ ଜିତିପାରି ନ ଥିଲା। ୧୦ଟି ଦଳକୁ ନେଇ ପଏଣ୍ଟ ଟେବୁଲରେ ଅନ୍ତିମ ସ୍ଥାନ ସହ ଅଭିଯାନ ଶେଷ କରିଥିଲା। ସୂଚନାଯୋଗ୍ୟ, ଷ୍ଟାର ଅସଘର ଏବଂ ୨୦ ବର୍ଷୀୟ ରଶିଦ ଏବଂ ପୁରୁଖା ଖେଳାଳି ମହମ୍ମଦ ନବି ଦୁଇ ଆଇପିଏଲ ଖେଳାଳି ବିଶ୍ୱକପ୍‌ ପୂର୍ବରୁ ଅସଘରଙ୍କ ବହିଷ୍କାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରଶିଦ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ, ୬୮ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୮ ଟି୨୦ ଖେଳିସାରିଛନ୍ତି। ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଦଳର ବିଜୟହୀନ ଅଭିଯାନ ପାଇଁ ମୁଖ୍ୟ ଚୟନକର୍ତ୍ତା ଦୌଲତ ଖାଁ ଅହମ୍ମଦଜାଇ ଏବଂ ସିଓଇ ଅସାଦୁଲ୍ଲା ଖାଁ ବହିଷ୍କୃତ ହୋଇଛନ୍ତି। ପୂର୍ବତନ ଏସିବି ମିଡିଆ ମ୍ୟାନେଜର ଲୁତ୍‌ଫୁଲ୍ଲା ଷ୍ଟାନିକ୍‌ଜାଇଙ୍କୁ ନୂଆ ସିଇଓ ଭାବେ ମନୋନୀତ କରାଯାଇଛି।

Share