Categories: ଜାତୀୟ

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ଭୋଟର ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୬୭ ପ୍ରାର୍ଥୀଙ୍କ ସତ୍ୟପାଠ ଯାଞ୍ଚ୍‌ କରାଯାଇଛି। ପ୍ରାର୍ଥୀମାନଙ୍କ ମଧ୍ୟରୁ ୩ ଶହ ୩୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି। ୧୮୯ ଜଣଙ୍କ ନାମରେ ସାଧାରଣ ଆପରାଧିକ ମାମଲା ରହିଥିବାବେଳେ ୧୪୬ଙ୍କ ନାମରେ ଗୁରୁତର ମାମଲା ରହିଛି। ସେହିପରି ୩୧୧ ଜଣ କୋଟିପତି ପ୍ରାର୍ଥୀ ଏହୀ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ଷଷ୍ଠ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସମ୍ପତ୍ତି ପରିମାଣ ୩ ଶହ ୭୪ କୋଟିରୁ ଅଧିକ ରହିଛି। ସେହିପରି ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କ ସମ୍ପତ୍ତି ପରିମାଣ ଶହେ ୪୭ କୋଟି ବୋଲି ଜଣାପଡ଼ିଛି। ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୩.୪୧ କୋଟି ରହିଛି। ପଶ୍ଚିମବଙ୍ଗ ପୁରୁଲିଆ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଏସ୍‌ୟୁସିଆଇ (ସି)ର ରଙ୍ଗଲାଲ କୁମାରଙ୍କ ପାଖରେ କେବଳ ୫ଶହ ଟଙ୍କା ଥିବା ସେ ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ବାଙ୍କୁରା ଲୋକ ସଭା ଆସନରୁ ନିର୍ବାଚନ ଲଢୁଥିବା ସୁଖଚନ୍ଦ୍‌ ସରେନ୍‌ଙ୍କ ପାଖରେ ୮ ଶହ ଟଙ୍କା ଏବଂ ସୋନିପତ୍‌ ଆସନରୁ ଲଢୁଥିବା ଅଶ୍ୱିନୀଙ୍କ ପାଖରେ ୧୭ ଶହ ଟଙ୍କା ଥିବା ସତସ୍ୟପାଠାରେ ଉଲ୍ଲେଖ ହୋଇଛି।

Share