ରଦ୍ଦ ହେବ ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସ: ଉଲ୍ଲଂଘନକାରୀଙ୍କୁ ରାଜପଥରେ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଲାଇସେନ୍ସ ରଦ୍ଦ ହେବା ସହ ଚାଳକଙ୍କୁ ଜେଲ ଯିବାକୁ ପଡିବ। ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସକୁ ତୁରନ୍ତ ରଦ୍ଦ କରିବାକୁ ରାଜ୍ୟ ସରକାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିଙ୍କ ନିର୍ଦ୍ଦେଶନାମା ପରେ ରାଜ୍ୟ ପରିବହନ କମିଶନର ଏ ନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ କମିଟି ପ୍ରତି ୩ ମାସରେ ଥରେ ରାଜ୍ୟ ସରକାରଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନେଇ ସମୀକ୍ଷା କରିଥାଆନ୍ତି। ଯେଉଁ ଲାଇସେନ୍ସଗୁଡିକ ରଦ୍ଦ କରିବା ଯୋଗ୍ୟ ସେଗୁଡିକୁ ତୁରନ୍ତ ଅସିଦ୍ଧ କରିବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ପୋଲିସ ଜିମା ଦେବା ସହ ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ କମିଟି ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ପୋଲିସ ଅଧିକାରୀ ନିଶାସକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଆରଟିଓକୁ ପଠାଇଥିବେ, କିନ୍ତୁ ତାହାକୁ ଯଦି ରଦ୍ଦ କରାଯାଇ ନ ଥିବ ସମ୍ପୃକ୍ତ ଅଧିକାରୀଙ୍କୁ ଏ ନେଇ କାରଣ ଦର୍ଶାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ମଦ୍ୟପାନ କରି ଗାଡିଚଳାଇବା ଯୋଗୁ ୩୩୪ ଜଣଙ୍କଠାରୁ ଇ-ଚାଲାଣ କଟାଯାଇଛି।
ସାରଥି ଡାଟାବେସରୁ ଏହି କାରଣରୁ ୧୨୬ଜଣଙ୍କର ଲାଇସେନ୍ସକୁ ରଦ୍ଦ କରାଯାଇଛି। କେବଳ ମଦ୍ୟପାନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ତାହା ନୁହେଁ, ବିନା ହେଲମେଟ କିମ୍ବା ରେଡ୍‌ ଲାଇଟ ଉଲ୍ଲଂଘନ କରିବା ଦ୍ୱାରା ୩ ଥର ଧରାପଡି ଜରିମାନା ଦେଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ପାଇଁ ସଂଶୋଧିତ ମୋଟର ଯାନ ଆଇନରେ ବ୍ୟବସ୍ଥା ରହିଛି। ଏଥିସହିତ ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ଜାତୀୟ ରାଜପଥରେ ସିସିଟିଭି ଲାଗିବ। ରାଜ୍ୟରେ ଟ୍ରାଫିକ ନିୟମ ବିଷୟରେ ସତେଚନତା ସୃଷ୍ଟି କରିବାକୁ ଚଳିତମାସ ୧୧ ରୁ ୧୭ ତାରିଖ ଯାଏ ରାଜ୍ୟ ସଡକ ସୁରକ୍ଷା ସପ୍ତାହ ପାଳିତ ହେବ। ଏଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଆରଟିଓକୁ ୨ ଲକ୍ଷ ଏବଂ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିବାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।