ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ

ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସରକାରଙ୍କୁ କେତେକ ସର୍ତ୍ତମୂଳକ ଭତ୍ତିରେ ଅନୁମତି ଦେଇଛନ୍ତି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚିଠି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଜଣାଇ ଦିଆଯାଇଛି। ରଥ ନିର୍ମାଣ କରିବା ବେଳେ ରଥଖଳାରେ କୌଣସି ପ୍ରକାର ଧାର୍ମିକ ସମାଗମ ହୋଇପାରିବ ନାହିଁ। ସେଠାକୁ ଜନସାଧାରଣଙ୍କୁ ଯିବାଲାଗି ବାରଣ କରାଯାଇଛି। ରଥଖଳାକୁ ଗ୍ରାଣ୍ଡ୍‌ ରୋଡଠାରୁ ଲୁଗାରେ ବାଡ଼ ଦେଇ ଅଲଗା ରଖିବା ଲାଗି ପରାମର୍ଶ ଦିଆଯାଇଛି। ୨୦୨୦ ମେ’ ପହିଲାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି।