ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ ଅଫିସ,୧୬ା୬:  ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ ଅଳ୍ପ କିଛି କାମ କରାଯାଉଛି। ମଙ୍ଗଳବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ ଲଗାଯାଇଛି। ଚିତ୍ରକର ସେବକମାନେ ରଥଗୁଡ଼ିକର ଚତୁଃପାର୍ଶ୍ୱ ରଙ୍ଗ ଦେଉଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରୂପକାର ଓ ଚିତ୍ରକର ସେବକମାନେ ପାର୍ଶ୍ୱ ଦେବୀଦେବ, ସଖୀ, ଶିଖର ଡମ୍ବରୁ, ହଂସପଟା ରଙ୍ଗ କାମ ଶେଷ କରିଛନ୍ତି। ରଥର ସାରଥୀଙ୍କ ରଙ୍ଗ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥ ପ୍ରଭାରେ ରୂପକାର ସେବକମାନେ ଖୋଦେଇ କାମ ଶେଷ କରିବା ପରେ ମଙ୍ଗଳବାର ସେଥିରେ ପ୍ରାଇମର ଏବଂ ଗୋଟିଏ ପରସ୍ତ ରଙ୍ଗ ଦିଆହୋଇଛି। ବୁଧବାର ରଙ୍ଗ କାମ ସମ୍ପୂର୍ଣ୍ଣ ହେବ ବୋଲି ଚିତ୍ରକର ସେବକମାନେ ଆଶା ରଖିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ଦରଜି ସେବକମାନେ ରଥକନା କାମ ଜାରି ରଖିଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିିଛି।