ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ୩ ଦିନ ପିପିଲି ଟୋଲ୍‌ ଗେଟ୍‌ ଫ୍ରି, ସଜାଗ ରହିବ ଆମ୍ବୁଲାନ୍ସ

ପୁରୀ ଅଫିସ, ୨୮।୬: ଜୁଲାଇ ୪ରେ ରଥଯାତ୍ରା। ଏ ନେଇ ଜିଲାପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ନିବାସ ସମ୍ମିଳନୀ କକ୍ଷରେ ଶେଷ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ଦିନ ଟୋଲ୍‌ ଗେଟ୍‌ ଫ୍ରି ରହିବ। କୌଣସି ଗାଡିକୁ ପିପିଲି ଟୋଲ୍‌ରେ ଟିକଟ ପଡ଼ିବ ନାହିଁ। ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସ ରହିବ। ଜୁଲାଇ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କାର୍ଯ୍ୟ କରିବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।