ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ରଥଯାତ୍ରା ବନ୍ଦ କରିବାକୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଫାଇଲ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଫଳରେ ଜୁନ୍‌ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ହୋଇପାରିବ ନାହିଁ। ଏହାଦ୍ୱାରା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ବାର୍ଥ ପାଇଁ ରଥଯାତ୍ରାକୁ ବନ୍ଦ ରହିବ ବୋଲି କୋର୍ଟ କହିଛନ୍ତି।

ତେବେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରାକୁ ବନ୍ଦ କରିବା ଲାଗି ଆବେଦନ କରାଯାଇଥିଲା। ବିଶାଳ ଜନ ସମାବେଶର ଆୟୋଜନ କରାଗଲେ ପରବର୍ତ୍ତୀ ସମୟରେ ସଂକ୍ରମଣକୁ ରୋକିବା ସମ୍ଭବ ହେବ ନାହିଁ। ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଏଣୁ ଲୋକଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ରଥଯାତ୍ରା ସ୍ଥଗିତ ରଖିବାକୁ ପରିଷଦ ପକ୍ଷରୁ କୁହାଯାଇଥିଲା।