ରଥଖଳାରୁ : ଆଜି ଉଠିବ ୪ ନାହାକା

ପୁରୀ ଅଫିସ, ୧୭ା୬ : ଅକ୍ଷୟ ତୃତୀୟାଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି ରଥକାମ। ଗତକାଲି ତିନି ରଥର ତଳେ ଖଞ୍ଜାଯାଇଥିବା ଦଣ୍ଡା ନମ୍ବର କରାଯାଇ ଅଖ ଉପରେ ଉଠିଥିଲା। ପରେ କଣଗୁଜ ଖଞ୍ଜାଯାଇ ନିରାଡି ଉଠିଥିଲା। ସୋମବାର ପବିତ୍ର ସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ୪ ନାହାକା ଉଠିବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ତିନିରଥର ୪ଟି ଲେଖାଏଁ ନାହାକା ଚଉପଟ ସରିଛି। ତିିନି ରଥ ଲାଗି ପାର୍ଶ୍ୱ ଗୟଲ କାଠ ଚଉପଟ ଚାଲିଛି। ସମୁଦାୟ ୩୨ଟି ପାର୍ଶ୍ୱ ଗୟଲ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୨ଟି ଲେଖାଏଁ ଏବଂ ଦର୍ପଦଳନର ୮ଟି ରହିଛି। ପରେ ଜୋଖା ହଣା ଯିବ। ସେଥିରୁ ନନ୍ଦିଘୋଷ ଓ ତାଳଧ୍ୱଜର ୧୬ଟି ଲେଖାଏଁ ଏବଂ ଦର୍ପଦଳନର ୧୨ଟି ରହିଛି। ରୂପକାର ସେବକ ସିଂହାସନ ପ୍ରସ୍ତୁତ କରୁଛନ୍ତି। ଦୋଳବେଦି କୋଣରେ କମାର ସେବକ ଲୁହାକଣ୍ଟା ପ୍ରସ୍ତୁତ କରୁଛନ୍ତି। ଏଥିସହିତ ରଥଯାତ୍ରା ସଂଲଗ୍ନ ଅନ୍ୟାନ୍ୟ କାମ ଚାଲିଛି। ସ୍ନାନଯାତ୍ରା ଲାଗି ମହାପ୍ରଭୁଙ୍କ ଚାନ୍ଦୁଆ ମରାମତି କାମ ଚାଲିଥିବା ବେଳେ ଚିତ୍ରକର ସାହିରେ ଚିତ୍ରକର ମାନେ ପଟିଦିଅଁ(ଅଣସର ପଟି) ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ସେହିପରି ରାଘବଦାସ ମଠରେ ମହାପ୍ରଭୁଙ୍କ ଟାହିଆ ଓ ଗଜାନନ ବେଶ ପ୍ରସ୍ତୁତି ଚାଲିଛି।