Categories: ଜାତୀୟ

ରତନ ଟାଟାଙ୍କ ପ୍ରେମ କାହାଣୀ: ଚାଇନା ଯୋଗୁ ପ୍ରେମିକାଙ୍କୁ କରିପାରିଲେନି ବିବାହ

ମୁମ୍ବାଇ,୧୩।୨: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ଚାଇନା ଯୋଗୁ ପ୍ରେମିକାଙ୍କୁ ବିବାହ କରି ପାରି ନ ଥିଲେ। ଏ ସମ୍ପର୍କରେ ସେ ନିଜ ଫେସ୍‌ବୁକ୍‌ ପେଜ୍‌ ହ୍ୟୁମାନ୍ସ୍‌ ଅଫ୍‌ ଦି ବମ୍ବେରେ ଶେୟାର କରିଛନ୍ତି। ରତନଟାଟା ଏହାକୁ ବୁଧବାର ରାତିରେ ଶେୟାର କରିଛନ୍ତି। ତେବେ ଏହା ଇତିମଧ୍ୟରେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୯୬୨ରେ ଲସ୍‌ ଏଞ୍ଜଲେସ୍‌ରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ହୋଇଥିଲା। ବିବାହ ହେବା ପ୍ରାୟ ଠିକ୍‌ ହୋଇଯାଇଥିଲା। ତେବେ ବୁଢ଼ୀ ମା’ଙ୍କ ସ୍ବାସ୍ଥ୍ୟ କାରଣରୁ ରତନଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ତେବେ ସେତେବେଳେ ଭାରତ-ଚାଇନା ଯୁଦ୍ଧ ଲାଗିଥିଲା। ତେଣୁ ଯୁବତୀଙ୍କ ମାତା-ପିତା ରତନଙ୍କ ସହିତ ତାଙ୍କୁ ଛାଡ଼ିବାକୁ ଅରାଜି ହୋଇଥିଲେ। ଏହାପରେ ରତନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ରତନଙ୍କୁ ୧୦ ବର୍ଷ ହୋଇଥିବାବେଳେ ତାଙ୍କର ମାତା-ପିତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ରତନଙ୍କୁ ବୁଢ଼ୀ ମା ନଓ୍ବଜ ବାଈ ଟାଟା ହିଁ ଲାଳନପାଳନ କରିଥିଲେ। ମାତା-ପିତାଙ୍କ ବିନା ସାନ ଭାଇ ଏବଂ ରତନଙ୍କ ବାଲ୍ୟ ଜୀବନରେ ବହୁ ଝଡ଼ଝଞ୍ଜା ଆସିଥିଲେ ବି ଏହା ବେଶ୍‌ ସ୍ମୃତି ବହୁଳ ଥିଲା ବୋଲି ସେ କହିଛନ୍ତି। ତେବେ ପିତାଙ୍କ ସହିତ କେତେକ ବିଷୟରେ ରତନଙ୍କ ମତଭେଦ ରହିଥିବା ସେ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି।

Share