Categories: ଖେଳ

ରଣ୍‌ଜୀ ଟ୍ରଫି ନକ୍‌ଆଉଟରେ ବ୍ୟବହାର ହେବ ଡିଆରଏସ୍‌

ନୂଆଦିଲ୍ଲୀ,୧୯ା୭(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ରଣ୍‌ଜୀ ଟ୍ରଫିରେ ସୀମିତ ସଂଖ୍ୟକ ଡିଆରଏସ୍‌ (ଅମ୍ପାୟରଙ୍କ ନିଷ୍ପତ୍ତିର ପୁନଃ ବିଚାର) ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା କେବଳ ରଣଜୀ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟରେ ବ୍ୟବହାର ହେବ। ଗତ ସିଜନରେ ବହୁ ଗୁରୁତ୍ୱପୂର୍ଣ୍ଣ ରଣଜୀ ମ୍ୟାଚ୍‌ରେ ଅମ୍ପାୟରଙ୍କ ବହୁ ତ୍ରୁଟିପୂର୍ଣ୍ଣ ଓ ବିବାଦୀୟ ନିଷ୍ପତ୍ତି ନଜିର ଆସିଥିଲା। କର୍ଣ୍ଣାଟକ ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଦୁଇଟି ଇନିଂସରେ ଦୁଇ ଥର ଆଉଟ୍‌ ହେବାରୁ ବର୍ତ୍ତି ଯାଇଥିଲେ। ଗୋଟିଏ ଇନିଂସରେ ସେ ଶତକ ମଧ୍ୟ ଲଗାଇଥିଲେ। ଏଥିଯୋଗୁ କର୍ଣ୍ଣାଟକ ଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଭବିଷ୍ୟତରେ ଏଭଳି ପରିସ୍ଥିତିରୁ ବର୍ତ୍ତିବା ଲାଗି ଡିଆରଏସ୍‌ ବ୍ୟବହାର କରାଯିବା ନିଷ୍ପତ୍ତି ନିଆଯାଇଛି। ଉପଲବ୍ଧ ଥିବା ସମସ୍ତ ଟେକନୋଲୋଜି ଆମେ ବ୍ୟବହାର କରିବୁ। ଏହା ଦ୍ୱାରା ଅନ୍‌ ଫିଲ୍ଡ ଅମ୍ପାୟରଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସୁଯୋଗ ମିଳିବ। ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ ବୋଲି ବିସିସିଆଇର ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ) ସବା କରିମ କହିଛନ୍ତି। ଏହି ନିଷ୍ପତ୍ତିକୁ ପ୍ରଶାସକ କମିଟି (ସିଓଏ) ଅନୁମତି ପ୍ରଦାନ କରିଛି।

Share