Categories: ଖେଳ

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଦିଲ୍ଲୀର ଭେଟେରାନ ଓପନର୍‌ ଶିଖର ଧାଓ୍ବନଙ୍କ ଶତକ, କେରଳ ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ ଦିନରେ ୨୦ ଉଇକେଟ୍‌ ପତନ ପ୍ରଥମ ଦିନର ଉଲ୍ଲେଖନୀୟ ଘଟଣା ରହିଥିଲା।
ଶାହ କୋଟଲା ଗ୍ରାଉଣ୍ଡରେ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬୬ ଓଭରରେ ୬ ଉଇକେଟ୍‌ ହରାଇ ୨୬୯ ରନ ସଂଗ୍ରହ କରିଛି। ଅଧିନାୟକ ଧାଓ୍ବନ ୧୩୭ ରନର ଅପରାଜିତ ଶତକୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି। ହାଇଦ୍ରାବାଦ ପକ୍ଷରୁ ମେହଦୀ ହାସନ ୩ଟି ଓ ମହମ୍ମଦ ସିରାଜ ୨ଟି ଉଇକେଟ୍‌ ନେଇଛନ୍ତି।
କେରଳ-୭୦, ଗୁଜରାଟ-୧୨୭
ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ କେରଳ ଓ ଭ୍ରମଣକାରୀ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଗୁଜରାଟ ୧୨୭ ରନରେ ସୀମିତ ରହିଥିଲା। ଅଧିନାୟକ ପାର୍ଥିବ ପଟେଲ, ୧୧, ପିୟୂଷ ଚାଓ୍ବଲା ୩୨, କଥନ ପଟେଲ ୩୬ ରନ କରିଥିଲେ। ଘରୋଇ ଦଳ ପକ୍ଷରୁ ଜଲଜ ସକ୍ସେନା ୫ ଉଇକେଟ୍‌ ସଫଳତା ପାଇଥିଲେ। ଜବାବରେ କେରଳ ମଧ୍ୟ ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୦ରେ ସୀମିତ ରହିଥିଲା। ଭେଟେରାନ ରବିନ ଉଥପ୍ପା ୨୬ ରନ କରିଥିବାବେଳେ ୬ଜଣ ଖାତା ଖୋଲିପାରି ନ ଥିଲେ।
ପୃଥ୍ବୀ, ରାହାନେ ବିଫଳ:
ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏଲିଟ୍‌ ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ଘରୋଇ ମୁମ୍ବାଇ ବିପକ୍ଷରେ ରେଲ୍‌ଓ୍ବ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି। ପୃଥ୍ବୀ ଶ’ (୧୨ ରନ) ଓ ଅଜିଙ୍କ୍ୟ ରାହାନେ (୫ ରନ)ଙ୍କ ବ୍ୟାଟିଂ ବିଫଳ ଯୋଗୁ ମୁମ୍ବାଇ ପ୍ରଥମ ଇନିଂସରେ ମାତ୍ର ୧୧୪ ରନରେ ଅଲ୍‌ଆଉଟ୍‌ ହୋଇଛି। ରେଲ୍‌ଓ୍ବେ ପକ୍ଷରୁ ଟି. ପ୍ରଦୀପ ୬ ଉଇକେଟ୍‌ ନେଇଛନ୍ତି। ଜବାବରେ ରେଲ୍‌ଓ୍ବେ ଅରିନ୍ଦମ ଘୋଷ (୫୨*) ଙ୍କ ଅର୍ଦ୍ଧଶତକ ବଳରେ ୫ ଉଇକେଟ୍‌ ହରାଇ ୧୧୬ ରନ ସଂଗ୍ରହ କରିବା ସହ ଇନିଂସ ଅଗ୍ରଣୀ ଲାଭ କରିଛି।

Share