Categories: ନୟାଗଡ଼

ରଣପୁର ରଥ ଯାତ୍ରା ପାଇଁ ପ୍ରସ୍ତୁତି: ରଣପୁର ଜଙ୍ଗଲରେ ମିଳୁନି ରଥ କାଠ

ରଣପୁର,୪ା୬(ସ୍ବ.ପ୍ର.)-ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ତରଫରୁ ସୋମବାର ରଣପୁର ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ନିର୍ମାଣ ହେବାକୁ ଥିବା ୩ ରଥ ପାଇଁ ରଥ କାଠ ମିଳୁ ନ ଥିବା ସ୍ଥାନୀୟ ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି ପ୍ରକାଶ କରିଛନ୍ତି। ରଥ ନିର୍ମାଣ କରୁଥିବା ମହାରଣାମାନଙ୍କ ସହିତ ବନ କର୍ମଚାରୀମାନେ ମିଳିତ ଭାବେ ସଂରକ୍ଷିତ ଜଙ୍ଗଲରେ ଧଅରା କାଠ ଖୋଜିବା ପାଇଁ ମଙ୍ଗଳବାରଠାରୁ ବାହାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳିତ ଓ ଆକର୍ଷଣୀୟ ହୋଇପାରିବ ସେ ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା । ରଥଖଳାରେ ଥିବା ଦୋକାନ ବଜାରକୁ ଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଏକ ସୁରକ୍ଷା କମିଟି, ପ୍ରଚାର ପ୍ରସାର କମିଟି ମଧ୍ୟ ଗଠନ କରାଯାଇଛି । ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ତହସିଲଦାର ସୁଶାନ୍ତ କୁମାର ପତି, ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ, ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି, ଏବିଡିଓ ରତନ ଲାଲ ଲୋହରା, ଏନ୍‌ଏସି ଅଧ୍ୟକ୍ଷା ସବିତା ଦାସ, ସମନ୍ବୟ ଶିଶୁ ବିକାଶର ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର, ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଥାନା ଅଧିକାରୀ ଭୋଇ ରଥଯାତ୍ରା ନିମନ୍ତେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସର ବ୍ୟବସ୍ଥା କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିିଥିଲେ । ଏନଏସି ଅଧ୍ୟକ୍ଷା ବଡଦାଣ୍ଡର ପରିଷ୍କାର ଓ ପରିଚ୍ଛନ୍ନ ଉପର ଦୃଷ୍ଟି ଦେଇଥିଲେ। ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ । ତହସିଲଦାର ଓ ମନ୍ଦିର ପରିଚାଳନା କମିଟିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବୈଠକ ପରିଚାଳନା କରିଥିଲେ ।