Categories: ଖେଳ

ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ

ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ ୫ ଉଇକେଟରେ ମୁମ୍ବାଇକୁ ପରାସ୍ତ କରିଛି। ମାତ୍ର ଅଢ଼େଇ ଦିନରେ କର୍ନାଟକ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରିଛି। ଘରୋଇ ମାଟିରେ ମୁମ୍ବାଇ ଏଥିସହିତ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହା ପୂର୍ବରୁ ମୁମ୍ବାଇ ରେଲଓ୍ବେଠାରୁ ପରାସ୍ତ ହୋଇଥିଲା। ପୁଣି ୨୦୧୩- ୧୪ ପରଠାରୁ ମୁମ୍ବାଇ ବିପକ୍ଷରେ କର୍ନାଟକର ଏହା ସିଧାସଳଖ ଚତୁର୍ଥ ବିଜୟ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ଇନିଂସରେ ୫୫.୫ ଓଭରରେ ୧୯୪ ରନ କରି ଆଲଆଉଟ ହୋଇଥିଲା। ଜବାବରେ କର୍ନାଟକ ୬୮.୫ ଓଭରରେ ୨୧୮ ରନ କରି ଅଲ୍‌ଆଉଟ ହେବା ସହ ୨୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ମୁମ୍ବାଇ ୫୦ ଓଭରରେ ୧୪୯ ରନ କରି ଅଲ୍‌ଆଉଟ ହୋଇଥିଲା। ଫଳରେ କର୍ନାଟକ ସମ୍ମୁଖରେ ୧୨୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି କର୍ନାଟକ ୨୪.୩ ଓଭରରେ ୫ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଓପନର ଦେବଦୁତ୍ତ ପାଡିକଲ ସର୍ବାଧିକ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଅନ୍ୟତମ ଓପନର ରବିକୁମାର ସମର୍ଥ ୩୪, ରୋହନ କଦମ ୨୧, ଅଧିନାୟକ କରୁନ ନାୟାର ୧୦, ଅଭିଷେକ ରେଡ୍ଡୀ ୪ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଗୋପାଳ ୫ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବି.ଆର. ଶରତ ୪ ରନକରି ଅପରାଜିତ ରହିଥିଲେ। ବୋଲିଂରେ ମୁମ୍ବାଇ ତରଫରୁ ଶଶାଙ୍କ ଅତାର୍ଡି ୪ ଓ ଶାମ୍ସ ମୁଲାନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୦୯/୫ରୁ ଖେଳ ଆରମ୍ଭ କରି ମୁମ୍ବାଇ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ୫୩ ରନରୁ ଖେଳ ଆରମ୍ଭ କରି ୭୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ମୁଲାନୀ ୩୧ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ କର୍ନାଟକ ତରଫରୁ ପ୍ରତୀକ ଜୈନ ୪, ଅଭିମନ୍ୟୁ ମିଥୁନ ୩, ବାସୁକି କୌସିକ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ପ୍ରଥମ ଇନିଂସ- ୫୫.୫ ଓଭରରେ ୧୯୪ ରନ୍‌ ଅଲଆଉଟ।
କର୍ନାଟକ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୧୮ ଅଲଆଉଟ।
ମୁମ୍ବାଇ ଦ୍ୱିତୀୟ ଇନିଂସ- ୫୦ ଓଭରରେ ୧୪୯ ଅଲଆଉଟ।
କର୍ନାଟକ ଦ୍ୱିତୀୟ ଇନିଂସ- ୨୪.୩ ଓଭରରେ ୧୨୯/୫।

Share