Categories: ଜାତୀୟ

ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ: ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଲକ୍ଷ୍ନୌ,୨।୨: ଅନ୍ତର୍ଜାତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ରବିବାର ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କରିଛି। ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଲକ୍ଷ୍ନୌ ପୋଲିସ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହଜରତଗଂଜ ଅଞ୍ଚଳରେ ରଞ୍ଜିତଙ୍କୁ ହତ୍ୟା କରାଯାଇଥିଲା। ରଞ୍ଜିତ ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ନାକ ତଳେ ୯ ମିଲିମିଟରର ଗୁଳି ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରଞ୍ଜିତ ବଚ୍ଚନ ହଜତରଗଞ୍ଜର ଓସିଆର କୋଠାରେ ରହୁଥିଲେ। ସେ କିନ୍ତୁ ଗୋରଖପୁରର ମୂଳବାସିନ୍ଦା। ସେ ସମାଜବାଦୀ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଗତ ୫ ମାସ ଭିତରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର ହୋଇଛନ୍ତି।

Share