ରଜ ପରେ ଯୁକ୍ତ୨ କଳା, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରଜ ପରେ ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଆସନ୍ତା ୧୭ କିମ୍ବା ୧୮ତାରିଖରେ ରେଜଲ୍ଟ ବାହାରିବ ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୩ତାରିଖରେ ଚଳିତବର୍ଷର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୯ କଲେଜର ରେଜଲ୍ଟ ଶୂନ ରହିଥିବା ବେଳେ ୨୯ କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିଲା। ଚଳିତବର୍ଷ ପାସ୍‌ ହାର ୭୨.୩୩ ପ୍ରତିଶତ ରହିଛି, ଯାହାକି ଗତବର୍ଷ ତୁଳନାରେ ୪.୬୫% କମ୍‌। ତେବେ କଳା ଓ ବାଣିଜ୍ୟରେ ଫଳାଫଳ କ’ଣ ହେବ, ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା।
-ଦୁଇ ବର୍ଷରେ ରାଜ୍ୟରେ ଦୂର ହେବ ଡାକ୍ତର ସମସ୍ୟା: ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ଦେଖାଦେବ ନାହିଁ ଡାକ୍ତର ସମସ୍ୟା। ଆବଶ୍ୟକଠାରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଆଗାମୀ ଦୁଇ ବର୍ଷରେ ଓଡ଼ିଶାରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ବୁଧବାର ସଚିବାଳୟଠାରେ ଦପ୍ତର ପ୍ରବେଶ ସମୟରେ ମନ୍ତ୍ରୀ କହିଥିଲେ, ମେଡିକାଲ କଲେଜଗୁଡ଼ିକରୁ ଅଧିକ ସଂଖ୍ୟାରେ ଡାକ୍ତର ଉତ୍ତୀର୍ଣ୍ଣ ହେବାକୁ ଯାଉଛନ୍ତି। ତେଣୁ ଆଗାମୀ ଦିନରେ ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତରଙ୍କ ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟସେବା ସବୁବେଳେ ଏକ ବଡ଼ ଆହ୍ବାନ। ସମସ୍ତ ପ୍ରକାର ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସଚିବାଳୟ ମନ୍ତ୍ରୀ କରିଡରର ଦ୍ୱିତୀୟ ମହଲାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପ୍ରକୋଷ୍ଠ ମିଳିଥିବା ବେଳେ ବୁଧବାର ପୂର୍ବାହ୍ନରେ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦପ୍ତର କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଛୋଟିଆ ପୂଜାପାଠର ଆୟୋଜନ ହୋଇଥିଲା।