ରଜରେ ହରଚଣ୍ଡୀ ହେଲେ କୁମାରୀ ବେଶ

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.): ବ୍ରହ୍ମଗିରିର ପ୍ରସିଦ୍ଧ ବାଲି ହରଚଣ୍ଡୀ ପୀଠରେ ପହିଲି ରଜ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପହିଲି ରଜରେ ମା’ ହରଚଣ୍ଡୀ କୁମାରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳର ସମସ୍ତ ନୀତିକାନ୍ତି ସରିବା ପରେ ଓଡ଼ିଆ ଘରର ରଜସ୍ବଳା ନାରୀ ପରି ମା’ ରଜସ୍ବଳା ହୋଇଥାନ୍ତି। ଏହି ସମୟରେ ମା’ଙ୍କୁ କୁମାରୀ ବେଶ କରାଯାଇଥାଏ। ମା’ଙ୍କର ଏହି ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।
ଓଡ଼ିଶାରେ ଥିବା ଶକ୍ତିପୀଠମାନଙ୍କ ମଧ୍ୟରୁ ବାଲି ହରଚଣ୍ଡୀ ପୀଠ ଅନ୍ୟତମ। ଧରିତ୍ରୀ ମା’ ଯେତେବେଳେ ରଜସ୍ବଳା ହୋଇଥାନ୍ତି ସେହି ସମୟରେ ଓଡିଶାର ପୁର ପଲ୍ଲୀରେ ରଜ ପର୍ବ ପାଳନ ହୋଇଥାଏ। ସାରା ରାଜ୍ୟରେ ରଜ ପର୍ବ ୩ଦିନ ପାଳନ କରାଯାଉଥିବାବେଳେ ଏହି ପୀଠରେ ରଜ ଉତ୍ସବ ୪ ଦିନ ଧରି ପାଳନ ହୋଇଥାଏ।