ରଜରେ ମାତିଲେ ଦୁର୍ବୃତ୍ତ: ବେକରୁ ଝାମ୍ପିନେଲେ ସୁନା ଚେନ

ବାଲିଅନ୍ତା,୧୪।୬(ଡି.ଏନ.ଏ.)-: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ପୂର୍ବତନ ନାଏବ ସରପଞ୍ଚ ମୁରଲୀଧର ପରିଡ଼ାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଲୁଟି ନେଇଥିବା ରବିବାର ଅଭିଯୋଗ ହୋଇଛି। ବାଲିଅନ୍ତା ଥାନା ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟାରେ ମୁରଲୀଧର ଘର ସମ୍ମୁଖ ରାସ୍ତାରେ ଛିଡା ହୋଇଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ହଠାତ୍‌ ତାଙ୍କ ବେକରୁ ସୁନାଚେନ ଛିଣ୍ଡାଇନେଇ ଫେରାର ହୋଇଯାଇଥିଲେ। ବାଟରେ ଜଣେ ଯୁବକ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବନ୍ଧୁକ ଦେଖାଇ ଖସି ପଳାଇଥିଲେ। ଏହି ଦୁଇ ଦୁର୍ବୃତ୍ତଙ୍କ ଫଟୋ ସିସିକ୍ୟାମେରାରେ କଏଦ ହୋଇଛି। ଏ ନେଇ ମୁରଲୀଧର ଥାନାରେ ଅଭିଯୋଗ କରିଛନ୍ତି।