ରଜରେ ଭୁଟାନ ଲଟେରି ମାୟା

ନାଉଗାଁ,୧୬ା୬(ସ୍ବ.ପ୍ର.): ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜରେ ସମସ୍ତେ ଦୋଳି ଖେଳଠାରୁ ଆରମ୍ଭ କରି ପୁଚି, କବାଡି, ଲୁଡୁ ଆଦି ବିଭିନ୍ନ ପ୍ରକାର ଖେଳକୁଦର ମଜା ନେଉଛନ୍ତି। କିନ୍ତୁ ନାଉଗାଁ ବ୍ଲକ ଡେରିକି ପଞ୍ଚାୟତର ଗଙ୍ଗଦାହାଟରେ ରଜ ଅବସରରେ ଖୋଲାଖୋଲି ଭାବେ ଚାଲିଛି ଜୁଆ ଆଡ୍ଡା। ଗତ ଏପ୍ରିଲ ମାସରେ ଉକ୍ତ ହାଟର ୨ଟି ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ଚଢାଉ କରିଥିଲା। ଫଲରେ କିଛିଦିନ ହେଲା ଏହି ଖେଳ ବନ୍ଦ ରହିଥିଲା। ମାତ୍ର ରଜ ପାଇଁ ଏହି ଜୁଆ ଖେଳ ପୁଣି ଆରମ୍ଭ ହୋଇଯାଇଛି। ଗଙ୍ଗଦାହାଟର ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଥିବା ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପାଖରେ ଥିବା ଏକ ଗୃହରେ ଏହି ଜୁଆ ଆଡ୍ଡା ଚାଲିଛି। ଏହି ଜୁଆ ଖେଳକୁ ଭୁଟାନ ଲଟେରି କୁହାଯାଉଛି। ଖେଳର ନିୟମ, ସିଲଭର, ଡାଇମଣ୍ଡ ଓ ଗୋଲଡେନ ବିଜୟ ସମ୍ପର୍କରେ ନିକଟରେ ଥିବା କାନ୍ଥରେ ଲେଖାଯାଇଛି। ୧୧ ଟଙ୍କାର ଲଟେରୀ ଟିକେଟ କିଣିଲେ ୧୦୦ ଟଙ୍କା ମିଳିବ ବୋଲି ଲୋକଙ୍କୁ ପ୍ରଲୋଭିତ କରାଯାଉଛି। ୦ରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏହି ଖେଳ ଇଣ୍ଟରନେଟ୍‌ ମାଧ୍ୟମରେ ଚାଲୁଛି। ଗଁା ଗହଳିରେ ବିଶେଷ କରି ଯୁବପିଢି ଏଥିରେ ଅଧିକ ଆକୃଷ୍ଟ ହୋଇ ଖେଳୁଥିବା ଲକ୍ଷ୍ୟ କରାଯାଉଛି। କେତେବେଳେ କିଏ ଟଙ୍କା ଜିତୁଛି ତ ଆଉ କିଏ ଶହ ଶହ ଟଙ୍କା ହାରୁଛି। ଟଙ୍କା ଜିତିବା ଆଶାରେ କେତେକ ଯୁବକ ଘରୁ ଚୋରି କରି ଖେଳୁଛନ୍ତି। କେତେକ ବ୍ୟକ୍ତି ଘର ସଉଦା ବନ୍ଦ କରି ଟଙ୍କା ପାଇବା ଆଶାରେ ଖେଳି ହାରୁଛନ୍ତି। ତେଣୁ ପରିବାରରେ ଅଶାନ୍ତି ଦେଖାଦେଉଛି। ଏହି ଖେଳ ସକାଳ ୯ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପଯର୍‌ୟନ୍ତ ଚାଲୁଛି। ଏଠାକୁ ନାଉଗଁା ସମେତ ବାଲିକୁଦା ବ୍ଲକର ଲୋକେ ଆସି ଖେଳୁଛନ୍ତି। ନୂଆଗଁା ପଞ୍ଚାୟତ ଗନ୍ଧଣ ଗ୍ରାମର ଜଣେ ବ୍ୟକ୍ତି ଏହି ଆଡ୍ଡା ଚଳାଇଥିବା ଜଣାପଡିଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲିସ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର କହିଛନ୍ତି ଯେ, ଖୁବଶୀଘ୍ର ଉକ୍ତ ସ୍ଥାନରେ ଚଢ଼ାଉ କରାଯିବ।