ରଙ୍ଗ ଲଗାଇ ଅସଦାଚରଣ, ଜେଲ ଗଲେ ଭିଣୋଇ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ହୋଲିରେ ଯୁବତୀଙ୍କୁ ରଙ୍ଗ ଲଗାଇବା ବାହାନାରେ ଅସଦାଚରଣ କରିଛନ୍ତି ଭିଣୋଇ। ଏନେଇ ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲା ଶରଣକୂଳ ଅଞ୍ଚଳରେ ହୋଇଥିବାବେଳେ ସେ ଖାରବେଳନଗର ଥାନା ଅନ୍ତର୍ଗତ ଭାଗବତ ବସ୍ତିରେ ରହୁଥିଲେ। ହରିଜନ ବସ୍ତିରେ ଯୁବତୀ ଜଣକ ରୁହନ୍ତି। ଅଭିଯୁକ୍ତ ତାଙ୍କୁ ରଙ୍ଗ ଲଗାଇବାବେଳେ ଅସଦାଚରଣ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ୭୫/୨୦ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।