ରକ୍ତଦାନ ପାଇଁ ସଚେତନତା ଆଣିଲେ ଯୁବତୀ ସଂଘ; ସଚେତନତା ରାଲି ସହ ନାଟକ ମଞ୍ଚସ୍ଥ

ନୂଆପଡା ଅଫିସ,୨୬ା୯:  ରକ୍ତଦାନ ମହତ ଦାନ। ଏକ ବୁନ୍ଦା ରକ୍ତ ଗୋଟିଏ ଜୀବନ ବଞ୍ଚାଇପାରିବ । ଏହା ଦ୍ୱାରା ରକ୍ତଦାତା ଏବଂ ରୋଗୀଙ୍କ ହିତ ସାଧନ ହୋଇଥାଏ । ଏଥିପାଇଁ ସମସ୍ତଙ୍କୁ ଆଗେଇ ଆସି ସଚେତନତା ଆଣିବା ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସ୍ଲୋଗାନମାନ ଦେଇ ଯୁବତୀ ସଂଘ କର୍ମକର୍ତ୍ତାମାନେ ସଚେତନତା ସୃଷ୍ଟି କରିଛନ୍ତି । ଯୁବତୀ ସଂଘ ଆହ୍ବାନରେ ଏହି ଅଭିଯାନରେ ମହିଳା ମଣ୍ଡଳ କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି ।
ସ୍ଥାନୀୟ ଖରିଆରରୋଡ ସହରରେ ଅନନ୍ୟା ଯୁବତୀ ସଂଘର ଆହ୍ବାନକ୍ରମେ ରକ୍ତଦାନ ଉପରେ ଏକ ସଚେତନତା ସଭା ହୋଇଥିଲା । ଏଥିରେ ଯୁବତୀ ସଂଘ ସଭାପତି ଯଶୋଦା ପାଣ୍ଡେ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟଅତିଥି, ଆଶା ଓଡିଶାର ପ୍ରକଳ୍ପ ସଂଯୋଜକ ସଞ୍ଜୀବ ନାୟକ, ସେଭ ଦି ଚିଲଡ୍ରେନର ଜିଲା ଅଧ୍ୟକ୍ଷ ବିଦ୍ୟାଧର ମେହେର, ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବଳ ସଂଯୋଜକ ବିଶ୍ୱଜିତ ପାଣିଗ୍ରାହୀ, ଆଶା ଓଡିଶାର ମନିଟରିଂ ଅଧିକାରୀ ସୁଚିସ୍ମିତା ନାୟକ, ମହିଳା ମଣ୍ଡଳ ସଭାପତି ନେହା ଡାଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହିକ୍ରମରେ ରକ୍ତଦାନର ଉପକାରୀତା ଉପରେ ବକ୍ତାମାନେ ମତ ରଖିଥିବା ବେଳେ ଏହାକୁ ବ୍ୟାପକ କରାଯାଇ ପାରିଲେ ଏକ ଜୀବନ, ପରିବାର ବଞ୍ଚତ୍ପାରିବ ବୋଲି କହିଥିଲେ। ଜିଲାର ବିଭିନ୍ନ ହସ୍ପିଟାଲରେ ରକ୍ତର ଘୋର ଅଭାବ ଦେଖାଦେଇଥାଏ। ସବୁ ପରିବାର ଲୋକ ଯଦି ସଚେତନ ହୁଅନ୍ତି ତେବେ ରକ୍ତର ଅଭାବ ରହିବ ନାହିଁ ବୋଲି କୁହାଯାଇଥିଲା। ଆଗକୁ ଏହାକୁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପକ କରିବାକୁ ମହିଳାମାନେ ସଂକଳ୍ପ ନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରୁ ଏକ ବିଶାଳ ରାଲି ବାହାରିଥିଲା। ସହରର ସବୁ ଗଳି କନ୍ଦି ବୁଲି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନମାନ ଦେଇଥିଲେ। ଏପରିକି ଘରକୁ ଘର ବୁଲି ପରିବାରର ସଦସ୍ୟମାନଙ୍କୁ ବୁଝାଇଥିଲେ। ଏହି ରାଲି ଦାଦିଜୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଥିରେ ଯୁବତୀ ସଂଘ, ମହିଳା ମଣ୍ଡଳ, ସହରର ବିଭିନ୍ନ ୱାର୍ଡରୁ ଠୁଳ ହୋଇଥିବା ମହିଳାମାନେ ସାମିଲ ହୋଇଥିଲେ । ସହର ମଧ୍ୟରେ ଯୁବତୀମାନେ ଏକ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ କରିଥିଲେ । ରାଲିକୁ ଯୁବତୀ ସଂଘ ସଭାପତି ଯଶୋଦା ପାଣ୍ଡେ, ସମ୍ପାଦିକା ସଙ୍ଗୀତା ଶବର, ସହସମ୍ପାଦିକା ଶାଳିନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଆଗକୁ ଏହାକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ା