ରକ୍ତତୀର୍ଥ ଇରମରୁ ବାହାରିଲା ମଶାଲ ଶୋଭାଯାତ୍ରା

ବାସୁଦେବପୁର, ୧୧।୧୨(ଡି.ଏନ.ଏ.)- ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ-୨୦୧୯ର ଉଦ୍‌ଘାଟନୀ ଉତ୍ସବ ଲାଗି ବାସୁଦେବପୁରର ରକ୍ତତୀର୍ଥ ଇରମରୁ ବୁଧବାର ଅପରାହ୍ନରେ ମଶାଲ ଶୋଭାଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଲୁଙ୍ଗା ବିକାଶ ପରିଷଦର ସଭାପତି ଦେବଦର୍ଶନ ଦାସଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଯୁବକମାନଙ୍କ ଉପସ୍ଥିତିରେ ଏହି ମଶାଲ ଶୋଭାଯାତ୍ରା ଶହୀଦ ପୀଠ ଓ ସ୍ମୃତିସ୍ତମ୍ଭ ନିକଟରୁ ବାହାରିଥିଲା। ପ୍ରଥମେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ତିଳତର୍ପଣ କରାଯାଇଥିଲା। ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯିବା ପରେ ଏହା ଭଦ୍ରକ ଶହୀଦ ସ୍ମୃତି ଭବନ ଅଭିମୁଖେ ଯାଇଥିଲା। ୨୦୦୩ରୁ ଆରମ୍ଭ ହୋଇଥିବା ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଶହୀଦପୀଠରୁ ଏହି ମଶାଲ ଶୋଭାଯାତ୍ରା ଯିବା ବାସୁଦେବପୁର ପାଇଁ ଗର୍ବ ଓ ଗୌରବ। ସାଂସ୍କୃତିକ ସମ୍ମେଳନର କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ଚାଲିବ। ଏଥିରେ ବହୁ ମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।