Categories: ଫୁରସତ

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି ଜାଗା ନ ଥିବ ଯେଉଁଠାରେ ଯୌତୁକ ନିଆଯାଉ ନ ଥିବ। ମାତ୍ର ସମାଜରେ ଏମିତି ବି କେତେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଯୌତୁକ ବିରୋଧରେ। ସେମିତି ଜଣେ ବ୍ୟକ୍ତି ହେଉଲେ ପଶ୍ଚିମବଙ୍ଗର ମେଦିନାପୁର ନିବାସୀ ସୂର୍ଯ୍ୟକାନ୍ତ ବରିକ। ସୂର୍ଯ୍ୟକାନ୍ତ ପେଶାରେ ଜଣେ ଶିକ୍ଷକ। ତାଙ୍କର ବିବାହ ପୂର୍ବ ମେଦିନାପୁରର ପ୍ରିୟଙ୍କାଙ୍କ ସହ ଠିକ୍‌ ହେଲା। ନିଜ ବିବାହରେ ସୂର୍ଯ୍ୟକାନ୍ତ ଟଙ୍କାଟିଏ ମଧ୍ୟ ଯୌତୁକ ନେବେ ନାହିଁ ବୋଲି ସର୍ତ୍ତ ରଖିଲେ। ମାତ୍ର ଶ୍ୱଶୁର ଘର ଲୋକେ ତାଙ୍କୁ ଏମିତି କିଛି ଉପହାର ଦେଲେ ଯାହାକୁ ଦେଖିବା ପରେ ସେ ଖୁସିରେ ବିଭୋର ହୋଇଗଲେ।
ସୂର୍ଯ୍ୟକାନ୍ତ ବିବାହ ପାଇଁ ଯେତେବେଳେ ବିବାହ ମଣ୍ଡପରେ ପହଞ୍ଚିଲେ ଶ୍ୱଶୁର ଘର ଲୋକେ ୧ ଲକ୍ଷ ଟଙ୍କାର ପ୍ରାୟ ୧୦ ହଜାର ବହି ତାଙ୍କୁ ଉପହାର ରୂପେ ଦେଲେ। ଯାହାକୁ ଦେଖିବା ପରେ ସୂର୍ଯ୍ୟକାନ୍ତ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ମାତ୍ର ପରେ ସେ ବହୁତ ଖୁସି ହେଲେ। ଏଥିରେ ରବୀନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ଶରତ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ପରି ଲେଖକଙ୍କ ପୁସ୍ତକମାନ ରହିଛି। ସୂର୍ଯ୍ୟକାନ୍ତ କୁହନ୍ତି, ତାଙ୍କ ପାଖରେ ଏତେ ପୁସ୍ତକ ରହିଛି ଯେଉଁଥିରେ ସେ ଏକ ଲାଇବ୍ରେରୀ ମଧ୍ୟ ଖୋଲିପାରିବେ।

Share