ଯୋଡ଼ା ନାବାଳିକା ଗଣବଳାତ୍କାର ଘଟଣା:‘ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅ’

କେନ୍ଦୁଝର,୨୯।୬ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ପଣସଗୋଡ଼ା ଅଞ୍ଚଳରେ ନାବାଳିକା ଗଣବଳତ୍କାର ଘଟଣା ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତନାଘନା ଚଳାଇଛନ୍ତି। ଆୟୋଗର ସଦସ୍ୟା ଡଃ ଗୀତାଞ୍ଜଳି ବସ୍ତିଆ ଓ ଦିବା ଶାସ୍ବତୀ ଶୁକ୍ରବାର ଯୋଡ଼ା ଗସ୍ତ କରି ଟାଟା ଷ୍ଟିଲ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଥିଲେ । ସେମାନେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନେ ଏସପି, ବଡ଼ବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌ ଏବଂ ଅନ୍ୟ ପୋଲିସ୍‌ ଅଧିକାରୀଙ୍କ ସହ ଆଲୋଚନା କରି ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଆୟୋଗର ସଦସ୍ୟା ପୀଡ଼ିତାଙ୍କ ପରିବାରର ସଦସ୍ୟ ଏବଂ ସମ୍ପର୍କୀୟଙ୍କୁ ଭେଟି ପୀଡ଼ିତାଙ୍କ ଚିକିତ୍ସା, ଶିକ୍ଷା ଓ ଥଇଥାନ ନିମନ୍ତେ ଆୟୋଗ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଶୁକ୍ରବାର ଜିଲା ସଦର ମହକୁମାଠାରେ ଜିଲାପାଳ ଆଶିଷ ଠାକରେଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଜିଲାପାଳ ଠାକରେ ପୀଡ଼ିତାଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଗସ୍ତ ଅବସରରେ ଆୟୋଗର ସଦସ୍ୟାମାନେ ଡିଆଇଜି ତଥା ଏସପି ଜେ.ଏନ୍‌ ପଙ୍କଜଙ୍କ ସହିତ ସାକ୍ଷାତ କରି ପୀଡ଼ିତାଙ୍କୁ କିପରି ଉପଯୁକ୍ତ ନ୍ୟାୟ ମିଳିବ ଏବଂ ଆଇନ୍‌ ସହାୟତା କାର୍ଯ୍ୟକ୍ରମରେ ସେ କିପରି ସହାୟତା ରାଶି ପାଇପାରିବେ ସେ ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ଆୟୋଗ ସଦସ୍ୟାଙ୍କ ସହିତ ପୀଡ଼ିତାଙ୍କ ଥଇଥାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ସମିତିର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲାବେଳେ ଏପରି ସ୍ପର୍ଶକାତର ଘଟଣାରେ ସମିତି ଆଶାନୁରୂପ ତତ୍ପରତା ପ୍ରକାଶ କରି ନ ଥିବାରୁ ସେମାନେ ସମାଲୋଚନା କରିଥିଲେ।