‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦୁଝର ଜିଲା ବଡ଼ସାହି ବ୍ଲକ ବେଲପାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଯୋଗ ଦିବସରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଧାନ ଆଚାର୍ଯ୍ୟା ଶାଶ୍ୱତୀ ଦାସମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ଗାୟତ୍ରୀ ପରିବାରର ଜିଲା ସଦସ୍ୟ ରସାନନ୍ଦ ବଳ, ଅଭିଭାବକ ରମାକାନ୍ତ ଭୂୟାଁ, ପୂର୍ବତନ ସମ୍ପାଦକ ପ୍ରବୋଧ ଚନ୍ଦ୍ର ଭୂୟାଁ ଓ ସମ୍ପାଦକ ନୀଳାଦ୍ରି ବିହାରୀ ଦଣ୍ଡପାଟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମା’ ବାଗ୍‌ଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ବିଦ୍ୟାମନ୍ଦିରର ଭଉଣୀଭାଇ, ଆଖପାଖ ଅଞ୍ଚଳର ଛାତ୍ରୀଛାତ୍ର, ଅଭିଭାବକ ଓ ସମସ୍ତ ଗୁରୁମା ଗୁରୁଜୀ ଯୋଗାଭ୍ୟାସ କରିଛନ୍ତି। ଯୋଗ ଶିକ୍ଷକ ଭାବେ ବିଶିକେଶନ ପାତ୍ର ଓ ସୁମନ୍ତ କୁମାର ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ବ୍ଲକସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୋଗସମିତିର ସଭାପତି ରାଜେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଡାକ୍ତର ସନତ କୁମାର ଦାଶ ଉପସ୍ଥିତ ଥିଲେ।  ଯୋଗ ହିଁ ଜୀବନ ବୋଲି କହିବା ସହ ସୁନ୍ଦର ସ୍ବାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ଯୋଗର ଗୁରୁତ୍ୱ ବହୁ ଊର୍ଦ୍ଧ୍ୱରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ଦାଶ, ଅଭୟ ମହାପାତ୍ର, ବଙ୍କିମ ବିହାରୀ ପାତ୍ର, ସନ୍ତୋଷ ବେହେରା ଓ ବିଭୂତି ଭୂଷଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।