Categories: ଖେଳ

ଯୁବିଙ୍କ ଦମ୍‌ରେ ଜିତିଲା ଟରୋଣ୍ଟୋ

ନୂଆଦିଲ୍ଲୀ,୨୮।୭(ପିଟି)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ବିସ୍ଫୋରକ ବ୍ୟାଟିଂ ଯୋଗୁ ଟରୋଣ୍ଟୋ ନ୍ୟାଶନାଲ୍ସ ଚଳିତ ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି। ବ୍ରମ୍ପଟନଠାରେ ଶନିବାର ଏଡ୍‌ମଣ୍ଟନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବି ୨୧ ବଲରୁ ୩୫ ରନ୍‌ ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସରେ ୩ ଛକା ଓ ସମାନ ସଂଖ୍ୟକ ଚୌକା ସାମିଲ ଥିଲା। ଯୁବିଙ୍କ ଇନିଂସ ଯୋଗୁ ଟରୋଣ୍ଟୋ ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩ ବଲ ପୂର୍ବରୁ ହାସଲ କରି ନେଇଥିଲା। ଯୁବିଙ୍କ ବ୍ୟତୀତ ହେନରିଚ କ୍ଲାସେନ ୪୫, ମନପ୍ରୀତ ଗୋନି ୧୨ ବଲରୁ ୩୩ ଓ ରବିନ୍ଦରପାଲ ସିଂ ୫ ବଲରୁ ୧୭ ରନ୍‌ କରିଥିଲେ। ଫଳରେ ଟରୋଣ୍ଟୋ ୧୭.୫ ଓଭରରେ ୮ ଉଇକେଟ ହରାଇ ୧୯୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ କେନ ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଫାଫ ଡୁ’ପ୍ଲେସଙ୍କ ନେତୃତ୍ୱରେ ଏଡ୍‌ମଣ୍ଟନ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୯୧ ରନ୍‌ କରିଥିଲା। ଦଳ ପାଇଁ ବେନ କଟିଂ ୪୩, ଶାଦାବ ଖାନ ୩୬, ଅଧିନାୟକ ଡୁପ୍ଲେସି ୨୮ ଓ ଜେମ୍ସ ନିଶାମ ୨୦ ରନ୍‌ କରିଥିଲେ। ଉଲ୍ଲେଖଥାଉ କି ଭାଙ୍କୋଭର ବିପକ୍ଷ ଗତ ମ୍ୟାଚ୍‌ରେ ଯୁବିଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ସେ ୨୪ ବଲ ଖେଳି ୧୭ ରନ୍‌ କରିଥିଲେ। ଏଥିନେଇ ତାଙ୍କ ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାମ୍ପଟନ ଓ୍ବଲଭ୍ସ ୧୦ ଉଇକେଟରେ ମଣ୍ଟ୍ରିଲ ଟାଇଗର୍ସକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ଈଶ ସୋଧି ୫ ଉଇକେଟ ନେଇଥିଲେ।

Share