ଯୁବତୀଙ୍କୁ ପ୍ରତାରଣା: ସରପଞ୍ଚ ଗିରଫ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବୌଦ୍ଧ ଜିଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯାମୀ ସାହୁଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ସୋମବାର ଗିରଫ କରିଛି। ଜଣେ ଯୁବତୀଙ୍କୁ ପ୍ରତାରଣା ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଡମଣା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅନ୍ତର୍ଯାମୀ ହନୁମାନ ସାଧକ ଥିଲେ। ଜଣେ ସମ୍ପର୍କୀୟଙ୍କର ସାହାଯ୍ୟରେ ସେ ତାଙ୍କ ସହ ପରିଚିତ ହୋଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଅନ୍ତର୍ଯାମୀ ପୂର୍ବରୁ ବିବାହ କରିଥିଲେ ଏବଂ ସ୍ତ୍ରୀ ଗାଁ ଥିବାବେଳେ ସେ ଏହାକୁ ଯୁବତୀ ଆଗରେ ଲୁଚାଇଥିଲେ। ଅନ୍ତର୍ଯାମୀ ଯୁବତୀଙ୍କୁ ଏକ ମନ୍ଦିରରେ ବିବାହ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରଭଡା ନେଇ ରହୁଥିଲେ। ଯୁବତୀ ଜଣଙ୍କ ତାଙ୍କୁ ଗାଁକୁ ନେବା ପାଇଁ କହୁଥିଲେ ମଧ୍ୟ ଅନ୍ତର୍ଯାମୀ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଯାଉଥିଲେ। ସନ୍ଦେହ ହେବାରୁ ଯୁବତୀ ଜଣଙ୍କ ଅନ୍ତର୍ଯାମୀଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଚେଷ୍ଟା କରିଥିଲେ। ପରେ ସେ ବିବାହିତ ବୋଲି ଜାଣିବାକୁ ପାଇଥିଲେ। ଅନ୍ତର୍ଯାମୀ ତାଙ୍କୁ ଧୋକା ଦେଇଥିବା ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅନ୍ତର୍ଯାମୀଙ୍କୁ ଗିରଫ କରିଛି।